ଚତୁର୍ଥ ଧାଡ଼ିରେ ବସିଲେ ରାହୁଲ: ବଢ଼ିବାରେ ଲାଗିଛି ବିବାଦ

ନୂଆଦିଲ୍ଲୀ: ୬୯ତମ ସାଧାରଣତନ୍ତ୍ର ଦିବସ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବସିବାକୁ ନେଇ ବିବାଦ ଦେଖାଦେଇଛି। ଦିଲ୍ଲୀ ରାଜପଥରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ସମାରୋହରେ ରାହୁଲ ଚତୁର୍ଥ ଧାଡିରେ ବସିଥିବା ନଜରକୁ ଆସିଥିଲେ। ଯାହାକୁ ନେଇ କଂଗ୍ରେସ ନେତାମାନେ ବିଜେପିକୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି। ଏପରିକି ବିଜେପି ଶସ୍ତା ରାଜନୀତି କରୁଥିବା କଂଗ୍ରେସ ଅଭିଯୋଗ କରିଛି।

ଆଜି ସମାରୋହରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ପ୍ରଥମ ଧାଡ଼ିରେ ବସିଥିବା ବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନିଙ୍କୁ ଦ୍ୱିତୀୟ ଧାଡ଼ିରେ ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ କଂଗ୍ରେସ ନେତା ରଣଦୀପ ସୁରଜୱାଲା ଟ୍ୱିଟ୍‌ କରି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ନିଜ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ର ସରକାର ଜାଣିଶୁଣି ରାହୁଲ ଗାନ୍ଧିଙ୍କ ପ୍ରତି ଏପରି ବ୍ୟବହାର କରିଛି।

କଂଗ୍ରେସ ପକ୍ଷରୁ କୁହାଯାଇଛି, ଦେଶ ସ୍ୱାଧୀନ ହେବା ପରଠାରୁ ଦଳର ଅଧ୍ୟକ୍ଷଙ୍କୁ ପ୍ରଥମ ଧାଡ଼ିରେ ବସିବାକୁ ଦିଆଯାଉଥିଲା। ୨୦୧୪ରେ ବିଜେପି ସରକାର ଗଠନ କରିବା ପରେ ସୋନିଆ ଗାନ୍ଧି ମଧ୍ୟ ଅଧ୍ୟକ୍ଷା ଭାବେ ଆଗଧାଡିରେ ବସୁଥିଲେ। ହେଲେ ରାହୁଲଙ୍କ ପ୍ରତି ବିଜେପିର ଏପରି ମାନସିକତା ଶସ୍ତା ରାଜନୀତି ଛଡ଼ା ଆଉ କିଛି ନୁହେଁ।