କଶ୍ମୀରରେ ଦିନ ବେଳା କଟକଣା କୋହଳ, ତଥାପି ଫାଙ୍କା ପଡ଼ିଛି ସ୍କୁଲ

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଗତ ସୋମବାର ଠାରୁ ପ୍ରଶାସନ ଦିନବେଳା ଉପତ୍ୟକାରେ ଲାଗୁ ହୋଇଥିବା କଟକଣାକୁ କୋହଳ କରିବାରେ ଲାଗିଛନ୍ତି। ଆଜି ସମଗ୍ର ଜମ୍ମୁ-କଶ୍ମୀରରେ କଟକଣା କୋହଳ କରାଯାଇଥିଲା। କଟକଣା କୋହଳ ହେବାରୁ ଆଜି ଅଧିକାଂଶ ପ୍ରାଥମିକ ଓ ମିଡଲ୍‌ ସ୍କୁଲ ଖୋଲିଥିଲା। କିନ୍ତୁ ପୂର୍ବଭଳି ସ୍କୁଲ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବହୁତ କମ ରହିଥିଲା।

ଆଜି ପ୍ରଶାସନ ପକ୍ଷରୁ ଜମ୍ମୁ-କଶ୍ମୀରର ଲାଲଚୌକଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରୁ ବ୍ୟାରିକେଡ୍‌ ହଟା ଯାଇଥିଲା। ୧୪୪ ଧାରା ମଧ୍ୟ କୋହଳ କରାଯାଇଥିଲା। ତେବେ ଜମ୍ମୁ-କଶ୍ମୀରର ତଳିଆ ଅଞ୍ଚଳରେ ଏବେ ବି କଟକଣା ଜାରି ରହିଛି। କଟକଣା କୋହଳ କରାଯାଇଥିଲେ ହେଁ ସୁରକ୍ଷାକର୍ମୀଙ୍କ ଛଞ୍ଛାଣ ଆଖି ଏବେ ବି ଜମ୍ମୁ-କଶ୍ମୀର ଉପରେ ରହିଛି।

ଉଭୟ ସରକାରୀ ଓ ବେସରକାରୀ ପ୍ରାଥମିକ ସ୍କୁଲ ଆଜି ଖୋଲିଥିଲା। କିନ୍ତୁ ଘରୋଇ ସ୍କୁଲରେ ଉପସ୍ଥାନ କମ୍‌ ରହିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ବାପାମା’ମାନେ ସେମାନଙ୍କ ପିଲାମାନଙ୍କୁ ସ୍କୁଲକୁ ଛାଡ଼ିବାକୁ ସୁରକ୍ଷିତ ମଣୁନାହାନ୍ତି। କେବଳ ଘରୋଇ ସ୍କୁଲ ନୁହେଁ, ସରକାରୀ ସ୍କୁଲରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ ରହିଛି। ସରକାରୀ ସ୍କୁଲର କର୍ମଚାରୀ ଏବଂ ଶିକ୍ଷକମାନେ ଠିକ୍‌ ସମୟରେ ପହଞ୍ଚିଥିଲେ ହେଁ ଅଧିକାଂଶ ଘରୋଇ ସ୍କୁଲର ଶିକ୍ଷକ ଏବଂ କର୍ମଚାରୀମାନେ ଆଜି କାର୍ଯ୍ୟରେ ଯୋଗଦେଇ ନାହାନ୍ତି।

ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ୨୨ଟି ଜିଲ୍ଲାରୁ ୧୨ଟିରେ ସବୁ କିଛି ସ୍ୱାଭାବିକ ଭାବେ ଚାଲିଛି। ଜମ୍ମୁ-କଶ୍ମୀରର ୧୯୭ଟି ପୁଲିସ୍‌ ଷ୍ଟେସନ ମଧ୍ୟରୁ ୧୩୬ରେ ଦିନବେଳା କଟକଣା କୋହଳ କରାଯାଇଛି।

ଇଣ୍ଟର ଡିଷ୍ଟ୍ରିକ୍ଟ ପରିବହନ ସେବା ମଧ୍ୟ ଧୀରେଧୀରେ ଆରମ୍ଭ କରାଯାଉଛି। ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଟ୍ରାଫିକ ଠିକ୍‌ ଭାବେ ଚାଲିଥିବା ବେଳେ ଶ୍ରୀନଗର ଏୟାରପୋର୍ଟରେ ବିମାନ ଯିବା ଆସିବା କରୁଛି। ରାଜ୍ୟରେ ଥିବା ୯୩ ହଜାର ଲ୍ୟାଣ୍ଡଲାଇନ୍‌ ମଧ୍ୟରୁ ୭୩ ହଜାର କାର୍ଯ୍ୟ କରୁଛି। ଅନ୍ୟ ଲ୍ୟାଣ୍ଡଲାଇନ୍‌କୁ ଖୁବଶୀଘ୍ର ସଂଯୋଗ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷେ ଜମ୍ମୁ-କଶ୍ମୀରର ବିଭିନ୍ନ ମାର୍କେଟ କ୍ରମାଗତ ୧୭ତମ ଦିନରେ ବନ୍ଦ ରହିଛି। ତା’ଛଡ଼ା ମୋବାଇଲ ଓ ଇଣ୍ଟରନେଟ୍‌ ସେବାରୁ ଲୋକମାନେ ବଞ୍ଚିତ ରହିଛନ୍ତି।