କାଠୁଆ ଓ ଉନ୍ନାଉ ଦୁଷ୍କର୍ମ ମାମଲା: ୫୦ ଜଣ ସରକାରୀ କର୍ମଚାରୀଙ୍କ ମୋଦିଙ୍କୁ ଖୋଲା ଚିଠି

ନୂଆଦିଲ୍ଲୀ: କାଠୁଆ ଓ ଉନ୍ନାଉ ଦୁଷ୍କର୍ମ ଘଟଣା ସାରା ଦେଶକୁ ମର୍ମାହତ କରିଛି। ଦିଲ୍ଲୀର ନିର୍ଭୟାକାଣ୍ଡ ପରେ ଉତ୍ତରପ୍ରଦେଶର ଉନ୍ନାଉ ବଳାତ୍କାର ଓ ଜମ୍ମୁ-କାଶ୍ମୀରର ୭ ବର୍ଷର ଝିଅ ଆସିଫାଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା ସମଗ୍ର ଭାରତକୁ ଦୋହଲାଇ ଦେଇଛି। ଏଥିପାଇଁ ଦେଶର ପ୍ରତି କୋଣରେ ବିରୋଧ ପ୍ରଦର୍ଶନ ଚାଲିଛି। ସୋସିଆଲ ମିଡିଆଠାରୁ ଆରମ୍ଭ କରି ସହରର ଗଳିକନ୍ଦି ପର୍ଯ୍ୟନ୍ତ ସବୁଠି ଏହି ହୃଦୟ ବିତାରକ ଘଟଣାକୁ ନେଇ ଚର୍ଚ୍ଚା। ନ୍ୟାୟ ପାଇଁ କିଏ କ୍ୟାଣ୍ଡେଲ ଜାଳୁଛନ୍ତି ତ, ଆଉ କିଏ ଶୋଭାଯାତ୍ରା କରି ସ୍ୱର ଉଠାଇଛନ୍ତି। ଅଭିଯୁକ୍ତଙ୍କୁ ଦଣ୍ଡ ଦେବାକୁ ସବୁଠି ଦାବି ଉଠିଛି। ଏହା ମଧ୍ୟରେ ୫୦ ଜଣ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି। ଯେଉଁଥିରେ ସେମାନେ ମୋଦିଙ୍କୁ ଏହି ଭୟାବହ ସ୍ଥିତି ପାଇଁ ଦାୟୀ କରିଛନ୍ତି।

ଏହି ଚିଠିଗୁଡ଼ିକରେ ଏହି ଅମାନବୀୟ ଘଟଣାଗୁଡ଼ିକର କଡ଼ା ନିନ୍ଦା କରାଯାଇଛି। ଏଥିରେ ଲେଖାଯାଇଛି ଯେ, ସରକାର ଲୋକଙ୍କ ଦ୍ୱାରା ଦିଆଯାଇଥିବା ମୂଳ ଦାୟିତ୍ୱ ତୁଲେଇବାରେ ମଧ୍ୟ ଅସଫଳ ହୋଇଛନ୍ତି। ଏଥିରେ ଏହା ମଧ୍ୟ ଲେଖାଯାଇଛି ଯେ ଆମ ସମ୍ବିଧାନର ଧର୍ମ ନିରେପକ୍ଷତା କ୍ଷୁର୍ଣ୍ଣ ହେଉଛି।

ଏଥିରେ ଲେଖାଯାଇଛି ଯେ, ୮ ବର୍ଷର ଝିଅ ସହ ଦୁଷ୍କର୍ମ ଓ ହତ୍ୟାରୁ ଜଣାପଡ଼ୁଛି ଯେ ଆମ ଦେଶର ସ୍ତର କେତେ ତଳକୁ ଖସିଗଲାଣି। ସ୍ୱାଧୀନତା ପରେ ଏବେ ଆମ ପାଇଁ ସବୁଠୁ ଖରାପ ସମୟ ଓ ଏଥିରୁ ଆମେ ପାଇଲୁ ଯେ ଆମ ରାଜନୈତିକ ଦଳ, ସରକାର ଓ ତାଙ୍କର ନେତା କେତେ ଦୁର୍ବଳ।

ଚିଠିରେ ଅବସରପ୍ରାପ୍ତ କର୍ମଚାରୀମାନେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ,ଏହି ଦୁଇ ଘଟଣା କୌଣସି ସାମାନ୍ୟ ଘଟଣା ନୁହେଁ, ଯାହାକି ସମୟ ସହ ଠିକ୍ ହୋଇଯିବ। ଏହା ଆମ ସମାଜକୁ ବିଚଳିତ କରିଦେଇଛି। ଆମକୁ ଯଥାଶୀଘ୍ର ସମାଜର ରାଜନୈତିକ ଅସ୍ଥିରତାକୁ ସୁଧାରିବାକୁ ହେବ। ଏହା ଆମ ଅସ୍ତିତ୍ୱକୁ ସଂକଟରୁ ବଞ୍ଚାଇବାର ସମୟ।

ଚିଠିରେ ଲେଖାଯାଇଛି ଯେ,ଆପଣ(ପ୍ରଧାନମନ୍ତ୍ରୀ) ଘଟଣାର ନିନ୍ଦା କରିଛନ୍ତି ସତ,କିନ୍ତୁ ଏହା ପଛରେ ଥିବା ସାମ୍ପ୍ରଦାୟିକ ଭାବନାର ନା ନିନ୍ଦା କରିଛନ୍ତି ନାଁ ଏହାକୁ ଦୂର କରିବାକୁ କୌଣସି ସାମାଜିକ, ରାଜନୈତିକ କିମ୍ବା ପ୍ରଶାସନିକ ସଂକଳ୍ପ ନେଇଛନ୍ତି।