୧୬ରୁ ପେଟ୍ରୋଲ ପମ୍ପ ବନ୍ଦ କରି ଆନ୍ଦୋଳନ ଧମକ

ନୂଆଦିଲ୍ଲୀ: ତେଲକୁ ନେଇ ବିବାଦ। ଜୁନ୍‌ ୧୬ରୁ ପେଟ୍ରୋଲ ଏବଂ ଡିଜେଲ ଦର ଦୈନିକ ପରିବର୍ତ୍ତନ ନିଷ୍ପତ୍ତିକୁ ବିରୋଧ। ତୈଳ କମ୍ପାନୀ ଗୁଡ଼ିକ ଏହି  ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ। ଏଥିପାଇଁ ଆନ୍ଦୋଳନର ଧମକ ଦେଇଛି  ଡିଲର୍ସ ଆସୋସିଏସନ।

ଯଦି ଜୁନ୍‌ ୧୬ ରୁ ତେଲ ଦର ବଦଳିବା ନେଇ ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଏ ତେବେ ଅନିଶ୍ଚିତକାଳ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପକୁ ବନ୍ଦ କରି ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟକୁ ଆଧାର କରି ପ୍ରତିଦିନ ତେଲ ଦର ବଦଳାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ(ଆଇଓସି)ଏଲଟିଡି , ଭାରତ ପେଟ୍ରୋଲିୟମ କର୍ପୋରେଶନ ଏଲଟିଡି, ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଏଲଟିଡି ପକ୍ଷରୁ ତେଲ ଦର ସମୀକ୍ଷା କରାଯାଇ ଧାର୍ଯ୍ୟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ତେବେ ଡିଲର୍ସ ଆସୋସିଏସନ ଏହାର ପ୍ରତିବାଦ କରି କହିଛି ଯେ, ସବୁବେଳେ ମଧ୍ୟରାତ୍ରିରେ ତେଲ ଦର ପରିବର୍ତ୍ତନ ହେବ। ଏହି ସମୟରେ ପେଟ୍ରୋଲ ଏବଂ ଡିଜେଲ ପମ୍ପ ଗୁଡ଼ିକର ବନ୍ଦ ହେବା ସମୟ। ଆଉ ନୂଆ ଦରକୁ ନେଇ ମେଶିନରେ ସେଟିଂ କରିବା ସମୟ ସାପେକ୍ଷ। କାରଣ ପୁରୁଣା ଷ୍ଟକକୁ ହିସାବ ନେଇ ମିଟର ରିଡିଂ ହେବ। ତେଣୁ ଏସବୁ କାମ ଦୈନିକ କରିବା ସମ୍ଭବ ନୁହଁ ବୋଲି ଡିଲର୍ସ ଆସୋସିଏସନ ପକ୍ଷରୁ କୁହାଯାଇଛି।  ଏନେଇ ଆସନ୍ତା ୧୩ ତାରିଖରେ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ଏବଂ ତୈଳ କମ୍ପାନୀଗୁଡ଼ିକ ମଧ୍ୟରେ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି।

ସୌଜନ୍ୟ ହିନ୍ଦୁସ୍ଥାନ ଟାଇମ୍‌ସ୍‌