କାର୍‌ରେ ଆସିଲା ରିଭଲ୍‌ଭର ରାଣୀ, ବେଦିରୁ ଉଠାଇ ନେଲା ବରକୁ: ସନ୍ଥଙ୍କ ରାଇଜରୁ ସନସନୀ ଖବର

ବୁନ୍ଦେଲଖଣ୍ଡ: ବିବାହ ମଣ୍ଡପ ସଜା ଯାଇଥିଲା। ବର ଓ କନ୍ୟା ମଧ୍ୟ ବିବାହ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ। ହଠାତ୍ କାରରେ ଦୁଇ ପୁରୁଷଙ୍କ ସହ ଆସି ବିବାହ ମଣ୍ଡପରେ ପହଁଚିଲେ ଜଣେ ଯୁବତୀ। ହାତରେ ଥିଲା ରିଭଲଭର୍। ବନ୍ଧୁକ ଲଗାଇଲେ ସିଧା ବର ମଥାରେ।

“ଆମେ ପରସ୍ପରକୁ ଭଲ ପାଉ କିନ୍ତୁ ଏବେ ସେ ମତେ ଧୋକ୍କା ଦେଇ ଅନ୍ୟ ଝିଅକୁ ବିବାହ କରିବାକୁ ଯାଉଛନ୍ତି, ଆଉ ମୁଁ ଏହା କେବେବି ହେବାକୁ ଦେବିନି।”

ଏ ଧାଡ଼ିଏ କଥା ଏକ ନିଶ୍ୱାସରେ କହି ଦେଇ, ବିବାହ ମଣ୍ଡପରୁ ବରକୁ ଉଠାଇ ନେଇଥିଲେ ଯୁବତୀଜଣକ। ଖବରଟି ପଢି ଲାଗୁଥିବ ଯେମିତି ଏହା କୌଣସି ଫିଲ୍ମର ଏକ ଦୃଶ୍ୟ ହୋଇଥିବ। ହେଲେ ସତସତିକା ଏମିତି ଘଟଣା ଘଟିଛି ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡରେ। ପ୍ରେମିକକୁ ଅପହରଣ କରି ନେଇଛି ଆତ୍ମଘୋଷିତ ପ୍ରେମିକା।  ଅପହୃତ ବରର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଅଶୋକ ଯାଦବ (ବର)ର ତାଙ୍କୁ ଅପହରଣ କରିଥିବା ଯ଼ୁବତୀଙ୍କ ସହ ଗତ କିଛି ମାସ ତଳେ ସାକ୍ଷାତ ହୋଇଥିଲା। ଉଭୟଙ୍କ ଭିତରେ ପ୍ରେମ ସଂପର୍କ ଗଢି ଉଠିଥିଲା। ଏପରିକି ସେମାନେ ଗୋପନରେ ବିବାହ ମଧ୍ୟ କରିଥିଲେ। କିନ୍ତୁ ପରିବାର ଲୋକଙ୍କ ଚାପରେ ଆସି ଅଶୋକ ଅନ୍ୟ ଏକ ଝିଅକୁ ବିବାହ କରିବାକୁ ଯାଉଥିଲା।

ରିଭଲଭର ରାଣୀର ଏ ଅପହରଣ ଚାଲ୍ ଆଖପାଖ ଅଚଂଳର ଲୋକଙ୍କୁ ସ୍ତବ୍ଧ କରି ଦେଇଛି। କିଛି ଲୋକେ ଏହାକୁ ସମର୍ଥନ କରିବା ସହ ଯୁବତୀଙ୍କୁ ସାବାସି ଜଣାଇଛନ୍ତି। ଆଉ କହିଛନ୍ତି, ଧୋକାବାଜଙ୍କୁ ସାବଡ କରିବାକୁ ଝିଅଙ୍କ ଭିତରେ ଏଭଳି ଆତ୍ମବିଶ୍ୱାସ ସୃଷ୍ଟି ହେବା କଥା।