ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର!, ରୁଜୁ ହେଲା ହତ୍ୟା ମାମଲା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହେବା ଏବଂ ସେ ଗୁରୁତର ଆହତ ହେବା ପଛରେ ଏକ ସାଂଘାତିକ ଷଡ଼ଯନ୍ତ୍ର ଥିବା ଚର୍ଚ୍ଚା ହେଉଛି। ପୀଡ଼ିତାଙ୍କ ମା’ ମଧ୍ୟ ଏହି ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି।

ଦୁଷ୍କର୍ମ କରିଥିବା ବ୍ୟକ୍ତି ଜଣେ ବିଜେପି ବିଧାୟକ ହୋଇଥିବାରୁ, ପୀଡ଼ିତାଙ୍କ ପରିବାରକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା ହୋଇଥିବା ତାଙ୍କ ମା’ ଅଭିଯୋଗ କରିଛନ୍ତି।

ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍‌ ଆଜି ଜେଲରେ ଥିବା ବିଜେପି ବିଧାୟକ କୁଲଦୀପ ସେନଗାର, ତାଙ୍କ ଭାଇ ଓ ଅନ୍ୟ ୮ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି।

ଗତକାଲି ପୀଡ଼ିତା ଯାଉଥିବା କାର୍‌କୁ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା। ତେବେ ଏହି ଟ୍ରକ୍‌ର ନମ୍ବର ପ୍ଲେଟ୍‌ରେ କଳା ବୋଳା ଯାଇଥିଲା। ତଥାପି ପୁଲିସ୍‌ ଗାଡ଼ିର ନମ୍ବରକୁ ଖୋଜି ପାଇବାରେ ସଫଳ ହୋଇଛି। ପୁଲିସ୍‌ ଟ୍ରକ୍‌କୁ ଜବତ କରିବା ସହ ଏହାର ଡ୍ରାଇଭରଙ୍କୁ ଗିରଫ କରିଛି।

ଅନ୍ୟପକ୍ଷରେ ଦୀର୍ଘ ଦିନ ଧରି ପୀଡ଼ିତାଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବାକୁ ପୁଲିସ୍‌ ବ୍ୟବସ୍ଥା ଗ୍ରହଣ କରିଥିଲା। ଏଥିପାଇଁ ଜଣେ ଗନ୍‌ ମ୍ୟାନ୍‌ ଓ ଦୁଇ ଜଣ ମହିଳା କନଷ୍ଟେବଲଙ୍କୁ ସର୍ବଦା ପୀଡ଼ିତାଙ୍କ ସହ ରହିବାକୁ ନିର୍ଦ୍ଦେଶ ରହିଥିଲା। ହେଲେ ଗତକାଲି ଦୁର୍ଘଟଣା ସମୟରେ ପୀଡ଼ିତାଙ୍କ ସହ କୌଣସି ସୁରକ୍ଷାକର୍ମୀ ଯାଇ ନଥିଲେ। ଯଦି ପୀଡ଼ିତା ଜଣଙ୍କ ସୁରକ୍ଷାକର୍ମୀଙ୍କୁ ଯିବାକୁ ମନା କରିଥିଲେ, ତା’ହେଲେ ଏକଥା ସୁରକ୍ଷାକର୍ମୀମାନେ ସେମାନଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ କି ନାହିଁ ସେକଥା ସ୍ପଷ୍ଟ ହୋଇନାହିଁ।

ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମା’ କହିଛନ୍ତି, “ଏହା ଦୁର୍ଘଟଣା ନଥିଲା। ଆମ ପରିବାରକୁ ମୂଳପୋଛ କରିବା ପାଇଁ ଏହା ଥିଲା ଏକ ଷଡ଼ଯନ୍ତ୍ର। ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଶାହି ସିଂହଙ୍କ ପୁଅ ଓ ତାଙ୍କ ସମର୍ଥକମାନେ ଆମକୁ ବାରମ୍ବାର ଧମକ ଦେଉଥିଲେ। ତେଣୁ ସେମାନେ ହିଁ ଏଭଳି ଘଟଣା ଘଟାଇଛନ୍ତି।”

ଆଜି ଲକ୍ଷ୍ନୌରୁ ଏକ ଟିମ୍‌ ରାଏବରେଲୀ ଯାଇ ଦୁର୍ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି। ସେହିପରି ଗାଡ଼ିର ନମ୍ବର ପ୍ଲେଟକୁ ନଷ୍ଟ କରିବାକୁ ଉଦ୍ୟମ ହୋଇଥିଲା କି ନାହିଁ ଜାଣିବା ପାଇଁ ପୁଲିସ୍‌ ଫରେନ୍ସିକ ଲ୍ୟାବ୍‌ର ସହାୟତା ଲୋଡ଼ିଛି।

ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଓ ସରକାରଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଛି। ଏକାଧିକ ରାଜନୀତିକ ଦଳର ନେତାମାନେ ଯାଇ ହସ୍ପିଟାଲରେ ପୀଡ଼ିତାଙ୍କୁ ଭେଟିଛନ୍ତି। ତେବେ ତାଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି।