ରୋଡ଼ ଟୁ ରାଇସିନା ହିଲ: ଜାଣନ୍ତୁ କେମିତି ନିର୍ବାଚିତ ହୁଅନ୍ତି ଭାରତର ରାଷ୍ଟ୍ରପତି, ପଢନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ: ରାଇସିନା ହିଲ୍‌ର ପରବର୍ତ୍ତୀ ମୁଖ୍ୟ କିଏ ହେବ ତାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଆମେ କହୁଛୁ ଭାରତର ଆଗାମୀ ରାଷ୍ଟ୍ରପତି ନିର୍ବାଚନ ବିଷୟରେ। ଯେଉଁ ନିର୍ବାଚନ ପାଇଁ ଦେଶରେ ଏବେ ପୂରା ଗରମାଗରମ ମାହୋଲ । ଜୁଲାଇ ୨୪ରେ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ କାଯ୍ୟକାଳ ଶେଷ ହେବାକୁ ଯାଉଛି। ତେବେ ଏହା ଭିତରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଜୁଲାଇ ୧୭ରେ ସିକ୍ରେଟ ବାଲାଟ ଜରିଆରେ ଭୋଟ ଗ୍ରହଣ ହେବ। ୨୦ରେ ଫଳାଫଳ ଆସିବା ପରେ କାର୍ଯ୍ୟଭାର ସମ୍ଭାଳିବେ ନବ ନିର୍ବାଚିତ ରାଷ୍ଟ୍ରପତି। ତେବେ ଏବେ ବି ଅନେକ ଭାରତୀୟ ଜାଣି ନଥିବେ କିପରି ନିର୍ବାଚିତ ହୁଅନ୍ତି ରାଷ୍ଟ୍ରପତି। ଏହି ରିପୋର୍ଟରେ ଆମେ ଆପଣଙ୍କୁ ଜଣାଇବୁ ଭାରତର ରାଷ୍ଟ୍ରପତି ନିର୍ବାଚନ ବିଷୟରେ।

କିପରି ନିର୍ବାଚିତ ହୁଅନ୍ତି ଭାରତର ରାଷ୍ଟ୍ରପତି:

ସମ୍ବିଧାନର ଧାରା ୫୪ ଅନୁଯାୟୀ ଭାରତର ରାଷ୍ଟ୍ରପତି ସାଧାରଣତଃ ଇଲୋକ୍ଟରାଲ କଲେଜ(ଉଭୟ ଲୋକସଭା ଓ ରାଜ୍ୟସଭା ଓ ଦେଶର ସମସ୍ତ ନିର୍ବାଚିତ ବିଧାୟକ)ଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି। ଏହଉଭୟ ଲୋକସଭା ଓ ରାଜ୍ୟସଭା ଏବଂ ଦେଶର ସମସ୍ତ ବିଧାନସଭାର ନିର୍ବାଚିତ ସଦସ୍ୟ ମାନେ ଭୋଟ ଦେଇ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି । କିନ୍ତୁ ରାଜ୍ୟସଭା ଓ ଲୋକସଭାକୁ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇଥିବା ସଦସ୍ୟଙ୍କର ମତଦାନ ଅଧିକାର ନଥାଏ। ତେବେ ପ୍ରତ୍ୟେକ ବିଧାୟକଙ୍କ ଭୋଟର ମୂଲ୍ୟ ଭିନ୍ନ ଭିନ୍ନ। ୧୯୭୧ରେ ହୋଇଥିବା ଜନଗଣନା ଅନୁଯାୟୀ ବିଭିନ୍ନ ରାଜ୍ୟର ଜନସଂଖ୍ୟାକୁ ନେଇ ବିଧାୟକଙ୍କ ଭୋଟର ମୂଲ୍ୟ ନିର୍ଦ୍ଧାରଣ କରାଯାଉଛି।

କେମିତି ହିସାବ ହୁଏ ବିଧାୟକଙ୍କ ଭୋଟର ମୂଲ୍ୟ:

ରାଷ୍ଟ୍ରପତି ନିର୍ବାଚନରେ ବିଧାୟକଙ୍କ ଭୋଟର ମୂଲ୍ୟ ରାଜ୍ୟର ଜନସଂଖ୍ୟା ଉପରେ ନିର୍ଭର କରେ। ରାଜ୍ୟର ସମସ୍ତ ନିର୍ବାଚିତ ବିଧାୟକ ସଂଖ୍ୟା ସହ ସେହି ରାଜ୍ୟର ପୂରା ଜନସଂଖ୍ୟାକୁ ଭାଗ କରାଯାଏ। ଭାଗ କରିବା ପରେ ଯେଉଁ ସଂଖ୍ୟା ଆସେ ସେହି ସଂଖ୍ୟାକୁ ୧୦୦୦ରେ ପୁର୍ନବାର ଭାଗ କରାଯାଏ। ୧୦୦୦ରେ ଭାଗ କରିବା ପରେ ଯେଉଁ ଅଙ୍କ ବାହାରେ ତାହା ହେଉଛି ସେହି ରାଜ୍ୟର ପ୍ରତି ବିଧାୟକଙ୍କ ଭୋଟର ମୂଲ୍ୟ। ଏହି କ୍ରମରେ ଦେଖିଲେ ଉତ୍ତରପ୍ରଦେଶର ବିଧାୟକଙ୍କ ଭୋଟର ମୂଲ୍ୟ ସବୁଠାରୁ ଅଧିକ ହୋଇଥିବା ବେଳେ ସିକିମର ବିଧାୟକଙ୍କ ଭୋଟର ମୂଲ୍ୟ ସବୁଠାରୁ କମ୍‌। ଉତ୍ତରପ୍ରଦେଶର ପ୍ରତି ବିଧାୟକଙ୍କ ଭୋଟର ମୂଲ୍ୟ ୨୦୮ ଏବଂ ସିକିମର ବିଧାୟକଙ୍କ ଭୋଟର ମୂଲ୍ୟ ୭ । ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶାର ପ୍ରତ୍ୟେକ ବିଧାୟକଙ୍କ ଭୋଟର ମୂଲ୍ୟ ୧୪୯ ଅଙ୍କ ।

ସାଂସଦଙ୍କ ଭୋଟର ମୂଲ୍ୟ କେତେ:

ଦେଶର ସମସ୍ତ ସାଂସଦଙ୍କ ଭୋଟର ମୂଲ୍ୟ ସମାନ। ସାଂସଦଙ୍କ ଭୋଟର ମୂଲ୍ୟାଙ୍କନ ଦେଶର ସମସ୍ତ ବିଧାୟକଙ୍କ ଭୋଟର ମୂଲ୍ୟକୁ ନେଇ ହିସାବ କରା ଯାଇଥାଏ। ଦେଶର ସବୁ ବିଧାୟକଙ୍କ ଭୋଟର ମୂଲ୍ୟକୁ ସବୁ ନିର୍ବାଚିତ ସାଂସଦଙ୍କ ସଂଖ୍ୟା ସହ ଭାଗ କରାଯାଏ।  ଭାଗ ପରେ ଯେଉଁ ଅଙ୍କ ମିଳେ ତାହା ଗୋଟିଏ ସାଂସଦର ଭୋଟର ମୂଲ୍ୟ।

ଭୋଟ ଗଣନା କିପରି ହୁଏ:

ଅଧିକ ସଦସ୍ୟଙ୍କ ଭୋଟ ପାଇଲେ ମଧ୍ୟ ଜଣେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ପାରିବ ନାହିଁ। ରାଷ୍ଟ୍ରପତି ନିର୍ବାଚିତ ହେବାକୁ ମତଦାନ କରିଥିବା ସମସ୍ତ ସାଂସଦ ଓ ବିଧାୟକଙ୍କ ସମୁଦାୟ ଭୋଟ ମୂଲ୍ୟର ଅଧାରୁ ଅଧିକ ହାସଲ କରିବାକୁ ପଡିବ । ଏହି ହିସାବରେ ଦେଖିବାକୁ ଗଲେ ୪୮୯୬ ଜଣ ନିର୍ବାଚିତ ଜନ ପ୍ରତିନିଧି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ କରିବେ। ଏହି ସଦସ୍ୟଙ୍କ ଭିତରେ ଲୋକସଭା ଓ ରାଜ୍ୟସଭାର ୭୭୬ ସାଂସଦଙ୍କ ସହ ୪୧୨୦ ବିଧାୟକ ସାମିଲ । ଏହି ସମସ୍ତ ସଦସ୍ୟଙ୍କ ଭୋଟର ସମୁଦାୟ ମୂଲ୍ୟ ହେଉଛି ୧୦.୯୮ ଲକ୍ଷ ଅଙ୍କ। ଏଥିମଧ୍ୟରୁ ସମସ୍ତ ସାଂସଦଙ୍କ ସମୁଦାୟ ଭୋଟର ମୂଲ୍ୟ ୫ ଲକ୍ଷ ୪୯ ହଜାର ୪୦୮ଅଙ୍କ ହୋଇଥିବା ବେଳେ ଦେଶର ସବୁ ବିଧାୟକଙ୍କ ଭୋଟର ସମୁଦାୟ ମୂଲ୍ୟ ୫ଲକ୍ଷ ୪୯ ହଜାର ୪୯୫ ଅଙ୍କ।

ତେବେ ରାଷ୍ଟ୍ରପତି ନିର୍ବାଚନରେ କୌଣସି ଦଳ ନିର୍ବାଚିତ ପ୍ରତିନିଧିଙ୍କ ଉପରେ ହୁଇପ୍ ଜାରି କରି ପାରିବେ ନାହିଁ ବୋଲି କଡ଼ା ନିୟମ ରହିଛି। ଯାହା ଫଳରେ ନିର୍ବାଚିତ ବିଧାୟକ ଓ ସାଂସଦ ନିଜ ଇଛାରେ ଦେଶର ପ୍ରଥମ ନାଗରିକଙ୍କୁ ବାଛି ପାରିବେ।

ରାଷ୍ଟ୍ରପତି ନିର୍ବାଚନ ପାଇଁ କେଉଁଠି ହୁଏ ମତଦାନ:

ରାଷ୍ଟ୍ରପତି ନିର୍ବାଚନ ପାଇଁ ଦିଲ୍ଲୀ ସଂସଦ ସଦନ ପରିସରରେ ମତଦାନ କରାଯାଏ। ଏଥିସହିତ ବିଧାୟକ ମାନେ ରାଜ୍ୟ ବିଧାନସଭା ସଚିବାଳୟରେ ମତଦାନ କରିଥାନ୍ତି। ସିକ୍ରେଟ ବାଲାଟ୍‌ ଜରିଆରେ ସାଂସଦ ଓ ବିଧାୟକ ମାନେ ମତଦାନ କରିଥାନ୍ତି। ତେବେ ବିଧାୟକ ଓ ସାଂସଦଙ୍କର ବାଲାଟର ରଙ୍ଗ ଭିନ୍ନ ଭିନ୍ନ। ସାଂସଦ ମାନେ ସବୁଜ ବାଲାଟ ଓ ବିଧାୟକ ମାନେ ପିଙ୍କ ରଙ୍ଗର ବାଲାଟରେ ନିଜର ମତ ସାବ୍ୟସ୍ତ କରିଥାନ୍ତି।

ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଜଣେ ବ୍ୟକ୍ତି ଲୋକସଭା, ରାଜ୍ୟସଭା କିମ୍ବା ବିଧାନସଭା ନିର୍ବାଚନରେ ଭାଗ ନେଇ ପାରିବ ନାହିଁ।