ରୋହିତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ: ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ର ରୋହିତ ଭମୁଲାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଆଜି ଭାବବିହ୍ୱଳ ହୋଇପଡ଼ିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲକ୍ଷ୍ନୌର ବାବା ସାହେବ ଭୀମରାଓ ଆମ୍ୱେଦକର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଭାଷଣ ଦେବା ଅବସରରେ ପ୍ରଧାନମନ୍ତ୍ରୀ ରୋହିତଙ୍କ ପ୍ରସଙ୍ଗ ଉଠାଇ ତାଙ୍କ ମା’ଙ୍କୁ ସହାନୁଭୂତି ଜଣାଇଥିଲେ। ସେ କହିଥିଲେ, ‘ବର୍ତ୍ତମାନ ରୋହିତଙ୍କ ପରିବାର ଯେ କିଭଳି ପରିସ୍ଥିତି ଦେଇ ଗତି କରୁଥିବେ ତାହା ମୁଁ ଭାବିପାରୁନି। ରାଜନୀତି ଗୋଟିଏ ପଟେ, କିନ୍ତୁ ପ୍ରକୃତ କଥା ହେଲା ଜଣେ ମା’ ତା’ର ପୁଅକୁ ହରାଇଲା। ମୁଁ ଏହି ଯନ୍ତ୍ରଣା ଅନୁଭବ କରିପାରୁଛି।’

ମୋଦି ଭାଷଣ ଆରମ୍ଭ କରିବା ମାତ୍ରକେ ଦୁଇ ଜଣ ଛାତ୍ର ସ୍ଲୋଗାନ୍ ଦେଇଥିଲେ। ତେବେ ସୁରକ୍ଷାକର୍ମୀ ସେମାନଙ୍କୁ ଅଡ଼ିଟୋରିୟମ ବାହାରକୁ ନେଇ ଯାଇଥିଲେ। ୨୬ ବର୍ଷୀୟ ବେମୁଲା ଗତ ରବିବାର ଆତ୍ମହତ୍ୟା କରିଥିଲେ। କିଛି ଦିନ ପୂର୍ବରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବେମୁଲାଙ୍କ ସମେତ ୫ ଦଳିତ ଛାତ୍ରଙ୍କୁ ହେଷ୍ଟଲରୁ ବ୍ୟାନ୍ କରିଥିଲେ।