ରୋହିତଙ୍କ ପାଇଁ ଅନଶନରେ ବସିଲେ ରାହୁଲ

ହାଇଦ୍ରାବାଦ: ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦଳିତ ଛାତ୍ର ରୋହିତ ଆତ୍ମହତ୍ୟା କରିବା ଘଟଣାରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହିତ ସାମିଲ ହୋଇଛନ୍ତି କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧି। ସେ ଆଜି ଦିନକ ପାଇଁ ଅନଶନରେ ବସିଛନ୍ତି। ଏହା ପୂର୍ବରୁ ଗତକାଲି ମଧ୍ୟ ରାତିରେ ମଧ୍ୟ ରାହୁଲ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହିତ ପ୍ରାୟ ୨ ଘଣ୍ଟା ବିତାଇଥିଲେ। ଆଜି ରୋହିତଙ୍କ ଜନ୍ମଦିନ ହୋଇଥିବାରୁ ବିଶ୍ୱବିଦ୍ୟାଳୟର ପ୍ରାୟ ଦୁଇ ହଜାର ଛାତ୍ର ମଧ୍ୟରାତ୍ରରେ ଏକ କ୍ୟାଣ୍ଡେଲ୍ ଲାଇଟ୍ ଶୋଭାଯାତ୍ରା କରିଥିଲେ। ଆଜି ସକାଳେ ପୁଣି ଆସି ରାହୁଲ ଛାତ୍ରଙ୍କ ସହିତ ଯୋଗଦେଇଥିଲେ ଓ ଅନଶନରେ ବସିଥିଲେ।

ରାହୁଲ ଟ୍ୱିଟ୍ କରି କହିଛନ୍ତି,‘ରୋହିତଙ୍କ ବନ୍ଧୁ ଓ ପରିବାର ଲୋକଙ୍କ ଅନୁରୋଧକ୍ରମେ ସେ ଆଜି ପୁଣି ଥରେ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପହଞ୍ଚିଛନ୍ତି। ନ୍ୟାୟ ପାଇଁ ସେମାନ ଚଳାଇଥିବା ଲଢ଼େଇରେ ସାଥ୍ ଦେବାକୁ କହିଥିଲେ।’

ଅନ୍ୟପକ୍ଷରେ ରାହୁଲ ଅନଶନରେ ବସିବା ଘଟଣାକୁ ଦୁଇ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀ ଓ ବୀରେନ୍ଦ୍ର ସିଂହ ସମାଲୋଚନା କରିଛନ୍ତି। ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି, ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପରୀକ୍ଷା ପାଖେଇ ଆସିଲାଣି। ସବୁ ପିଲା ପଢ଼ାପଢ଼ିରେ ବ୍ୟସ୍ତ ଅଛନ୍ତି। ରୋହିତ ଆତ୍ମହତ୍ୟାର ବିଚାରବିଭାଗୀୟ ତଦନ୍ତ ଘୋଷଣା କରାଯାଇ ସାରିଛି। ବିଶ୍ୱବିଦ୍ୟାଳୟ ପରିସରରେ ଶାନ୍ତି ବଜାୟ ରହିଛି। ଏଭଳି ସ୍ଥିତିରେ ଏହି ମାମଲାକୁ ନେଇ ରାହୁଲ ଗାନ୍ଧି ରାଜନୀତି କରୁଛନ୍ତି। ସେହିପରୀ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବୀରେନ୍ଦ୍ର ସିଂହ କହିଛନ୍ତି ଯେ ଲୋକସଭାରେ ୨୦୬ ସାଂସଦରୁ ୪୪ ସାଂସଦକୁ ଖସି ଆସିଥିବା କଂଗ୍ରେସ ସବୁ ପ୍ରସଙ୍ଗରେ ରାଜନୀତି କରୁଛି।