ପ୍ରଧାନମନ୍ତ୍ରୀ ଓ ସ୍ମୃତି ଇରାନୀଙ୍କୁ ସମାଲୋଚନା କଲେ ରୋହିତଙ୍କ ପରିବାର

ହାଇଦ୍ରାବାଦ: ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆତ୍ମହତ୍ୟା କରିଥିବା ଦଳିତ ଛାତ୍ର ରୋହିତ ଭମୁଲାଙ୍କ ପରିବାର ଲୋକେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାନବ ସମ୍ବଳ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ସମାଲୋଚନା କରିଛନ୍ତି। ଏହା ସହିତ ବିଶ୍ୱବିଦ୍ୟାଳୟ ତରଫରୁ ଘୋଷଣା କରାଯାଇଥିବା କ୍ଷତିପୂରଣ ରାଶିକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ତାଙ୍କ ପରିବାର ଲୋକେ କହିଛନ୍ତି ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଓ ସ୍ମୃତି ଇରାନୀ ଏତେ ଦିନ ପର୍ଯ୍ୟନ୍ତ ଚୁପ୍ କାହିଁକି ବସି ଥିଲେ? ମୁହଁ ଖୋଲିବାକୁ ସେମାନଙ୍କୁ ୫ ଦିନ କାହିଁକି ଲାଗିଲା?

ରୋହିତଙ୍କ ମା’ ରାଧିକା, ଭଉଣୀ ନୀଳିମା ଓ ଭାଇ ରାଜୁ ହାଇଦ୍ରାବାଦ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରକୁ ଆସିଥିବା ଅବସରରେ ପ୍ରକୃତ ଦୋଷୀଙ୍କୁ ଦଣ୍ଡ ମିଳିବା ଉଚିତ୍ ବୋଲି ଦାବି କରିଥିଲେ।

ରୋହିତଙ୍କ ଭଉଣୀ ନୀଳିମା କହିଛନ୍ତି ଯେ ୮ ଲକ୍ଷ କ’ଣ ୮ କୋଟି ଦେଲେ ବି ଆମେ ନେବୁ ନାହିଁ। ତାଙ୍କ ଭାଇ ଆତ୍ମହତ୍ୟା କରିବାର ୫ ଦିନ ପରେ ସ୍ମୃତି ଇରାନୀ ଫୋନ୍ କଲେ। ସେ କାହିଁକି ୫ ଦିନ ସମୟ ନେଲେ? ସେ ବି ଜଣେ ମହିଳା… ସେ ବି ଜଣେ ମା’। ତଥାପି ସେ ୫ ଦିନ ପରେ ଫୋନ୍ କରି ଶୋକ ପ୍ରକଟ କରୁଛନ୍ତି। ଆମେ ସ୍ମୃତି ଇରାନୀଙ୍କଠାରୁ ଜାଣିବାକୁ ଚାହୁଁଛୁ ଯେ ସେ (ରୋହିତ) କାହିଁକି ଆତ୍ମହତ୍ୟା କଲା। ତାକୁ ତୁମେ (ସ୍ମୃତି ଇରାନୀ) ମାରି ଦେଇଛ ନା ସେ ମରି ଯାଇଛି? ତାକୁ କାହିଁକି ନିଲମ୍ବିତ କରାଯାଇଥିଲା?

ସୂଚନାଯୋଗ୍ୟ, ଗତକାଲି ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରୋହିତଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଥିଲା।