କାହିଁକି ଜନ୍ମ ନେଉଛନ୍ତି ଅବୈଧ ସନ୍ତାନ…ସ୍ୱଂୟ ସେବକଙ୍କ ଭାଲେଣ୍ଟାଇନ ବୟାନକୁ ନେଇ ଝଡ଼

ଭାଲେଣ୍ଟାଇନ୍ ଡେ କହିଲେ ପ୍ରେମର ଦିବସକୁ ବୁଝାଏ। ପାଶ୍ଚାତ୍ୟ ସଂସ୍କୃତିରୁ ଆସିଥିବା ଭାଲେଣ୍ଟାଇନ୍ ଡେ କୁ କିନ୍ତୁ ଆପଣାଇ ନେଇଛନ୍ତି ଭାରତୀୟ ଯୁବଗୋଷ୍ଠୀ। ତେବେ ଏହା ଭିତରେ ଭାଲେଣ୍ଟାଇନ୍ ଡେ ଉପରେ ବୟାନ ଦେଇ ଚର୍ଚ୍ଚାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସଂଗଠକ ଇନ୍ଦ୍ରେଶ କୁମାର। ଭାରତରେ ମହିଳାଙ୍କ ଉପରେ ହେଉଥିବା ହିଂସା, ବଳାତ୍କାର ଓ ଅବୈଧ ସନ୍ତାନ ପାଇଁ ଭାଲେଣ୍ଟାଇନ୍ ଡେକୁ ଦାୟୀ କରିଛନ୍ତି ଇନ୍ଦ୍ରେଶ। ଆରଏସ୍ଏସ୍‌ର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସେ ଏହିଭଳି ମନ୍ତବ୍ୟ ଦେଇଛନ୍ତି ।

ଇନ୍ଦ୍ରେଶ ପ୍ରେମର ପରିଭାଷା ଶିଖାଇଛନ୍ତି ସ୍ୱୟଂସେବକଙ୍କୁ। ତାଙ୍କ କହିବା ଅନୁଯାୟୀ ଭାରତରେ ପ୍ରେମ ମଧ୍ୟରେ ପବିତ୍ରତା ଥାଏ। କିନ୍ତୁ ପାଶ୍ଚାତ୍ୟ ସଂସ୍କୃତି ଭାରତ ଭିତରକୁ ଧସେଇ ପଶିବା ଫଳରେ ଭାରତରେ ପ୍ରେମ ମୂଲ୍ୟହୀନ ହୋଇ ପଡିଛି। ଭାରତ ଦେଖିଛି ରାଧା-କୃଷ୍ଣ, ଲୈଲା-ମଜନୁ ଓ ହୀର-ରାଞ୍ଝ।ଙ୍କ ପବିତ୍ର ପ୍ରେମ କାହାଣୀ। କିନ୍ତୁ ଭାଲେଣ୍ଟାଇନ୍ ଡେ ଭଳି ପାଶ୍ଚାତ୍ୟ ସଂସ୍କୃତି ପ୍ରେମର ପରିଭାଷାକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି। ଭାଲେଣ୍ଟାଇନ୍ ଡେକୁ ଉତ୍ସବ ଭଳି ପାଳନ କରିବା ସହ ପ୍ରେମକୁ ସମ୍ପୂର୍ଣ୍ଣ ଭାବେ ବ୍ୟବସାୟୀକରଣ କରାଯାଇଛି। ଯାହା ଫଳରେ ମହିଳାଙ୍କ ଉପରେ ଅତ୍ୟାଚାର ,ବଳାତ୍କାର ଭଳି ଘଟଣା ବଢି ଚାଲିଛି ବୋଲି କହିଛନ୍ତି ଆର୍‌ଏସ୍‌ଏସ୍‌ ନେତା। ଏହି ଅସୁବିଧା କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଏହିଭଳି ଘଟଣା ଦେଖିବାକୁ ମିଳୁଛି।

ନିଜ ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଇନ୍ଦ୍ରେଶ ପୂର୍ବରୁ ମଧ୍ୟ ଗୋମାଂସ ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ। ଯେଉଁମାନେ ଗୋମାଂସ ଖାଇବା ସପକ୍ଷରେ ଓକିଲାତି କରୁଛନ୍ତି ସେମାନେ ସୈତାନ ଦଳର ବୋଲି କହିଥିଲେ ସେ।