ସେନା ପାଇଁ ରୁଷ ତିଆରି କଲା ରୋବୋଟିକ୍ ଡ୍ରେସ୍‌: ଗୁଳି ବାଜିବନି କି ଜୀବନ ଯିବନି

ନୂଆଦିଲ୍ଲୀ: ରୁଷ ଏହାର ସୈନିକଙ୍କ ପାଇଁ ଏକ ବିଶେଷ ଧରଣର ୟୁନିଫର୍ମ ପ୍ରସ୍ତୁତ କରିଛି। ଆଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ପୋଷାକ ଯବାନମାନଙ୍କୁ ଯୁଦ୍ଧ ବେଳେ ବେଶ୍ ସହାୟତା କରିବ। ରୁଷ ନିଜ ସୈନିକମାନଙ୍କ ଶକ୍ତି ବୃଦ୍ଧି କରିବା ପାଇଁ ଭବିଷ୍ୟତରେ ଏହି ପୋଷାକର ବ୍ୟବହାର କରିପାରେ।

ଏହି ହାଇଟେକ୍ ରୋବୋଟିକ୍ କବଚକୁ ଏମିତି ଭାବେ ପ୍ରସ୍ତୁତ କରାଯାଇଛି ଯେ ଏହାକୁ ଗୁଳି ଭେଦି ପାରିବ ନାହିଁ। ଏହା ରୁଷ ଯବାନଙ୍କ ପାଇଁ ଏକ ବଡ଼ ଶକ୍ତି ହେବ ବୋଲି କୁହାଯାଇଛି। ସେହିପରି ଏକ ସ୍ୱତନ୍ତ୍ର ଧରଣର ହେଲ୍‌ମେଟ୍ ମଧ୍ୟ ପ୍ରସ୍ତୁତ କରାଯାଇଛି। ହେଲ୍‌ମେଟ୍ ଉପରେ ଏକ ଲାଇଟ୍ ରହିଛି ଯାହା ଦ୍ୱାରା ଅସ୍ତ୍ରଶସ୍ତ୍ର ଓ ନକ୍ସା ଆଦିର ଯାଞ୍ଚ କରି ହେବ। ସୈନିକମାନଙ୍କ ପାଇଁ ସ୍ୱତନ୍ତ୍ର ଧରଣର ଜୋତା ମଧ୍ୟ ପ୍ରସ୍ତୁତ କରାଯାଇଛି।

ମୋସ୍କୋ ସ୍ଥିତ ନ୍ୟାସ୍‌ନାଲ୍ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଏହି ରୋବୋଟିକ୍ କବଚକୁ ପ୍ରଦର୍ଶିତ କରାଯାଇଛି। ୬ ଫୁଟ ଉଚ୍ଚ ଏକ ମଡେଲକୁ ଏହି କଳା ରଙ୍ଗର ପୋଷାକ ପିନ୍ଧା ଯାଇଛି। ତା’ ହାତରେ ଏକ ବନ୍ଧୁକ ମଧ୍ୟ ଅଛି। ଏହି ମଡେଲକୁ ଦେଖିଲେ ଷ୍ଟାର ୱାର ଫିଲ୍ମ କଥା ମନେ ପଡ଼ିଯାଉଛି।