ଇଜିପ୍ଟରେ ବିମାନ ଦୁର୍ଘଟଣା,୨୨୪ ଯାତ୍ରୀଙ୍କ ମୃତ୍ୟୁ

egypt-crashକାଏରୋ: ଇଜିପ୍ଟରେ ଆଜି ରୁଷ୍ ଏୟାର ଲାଇନ୍ସର ଫ୍ଲ।ଇଟ୍ ସେଭେନ୍ କେ ୯୨୬୮ ନାମକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାଫଳରେ ୨୦୦ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇଯାଇଥିବା ବେଳେ ଏ ପର୍ଯ୍ୟନ୍ତ ୧୦୦ଟି ମୃତଦେହ ଉଦ୍ଧାର କରାଯାଇଛି। ବିମାନରେ ୧୭ ଶିଶୁ ଓ ୭ କର୍ମଚାରୀଙ୍କ ସମେତ ୨୨୪ ଜଣ ଯାତ୍ରୀ ଥିଲେ।ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ ସହିତ ଜଡିତ ଏକ ଆତଙ୍କୀ ସଂଗଠନ ଏହି ଦୁର୍ଘଟଣା ପାଇଁ ନିଜକୁ ଦାୟୀ କରିଛି। ସଂଗଠନ କହିଛି, ଏହାର ସଦସ୍ୟାମାନେ ହିଁ ବିମାନଟିକୁ ଖସାଇ ଦେଇଥିଲେ।

ରୁଷୀୟ କମ୍ପାନୀ କୋଗାଲିମାଭିଆର ଏହି ବିମାନ ଭାରତୀୟ ସମୟ  ସକାଳ ୯ଟା ୨୧ ମିନିଟରେ ଇଜିପ୍ଟର ଶରମ୍-ଏଲ୍-ଶେଖରୁ ରୁଷିଆର ସେଣ୍ଟ ପିଟସବର୍ଗ ଅଭିମୁଖେ ଆରମ୍ଭ କରିଥିଲା ଉଡାଣ । ୧୭ ଶିଶୁ ଓ ୭ କର୍ମଚାରୀଙ୍କୁ ମିଶାଇ ବିମାନରେ ଥିଲେ ୨୨୪ ଜଣ ଯାତ୍ରୀ। ତେବେ ଉଡାଣର ୨୩ ମିନଟ୍ ପରେ ବିମାନଟି ଅଦୃଶ୍ୟ ହୋଇଯାଇଥିଲା ରାଡାର ପରଦାରୁ। କିଛି ସମୟ ପରେ ଇଜିପ୍ଟର କେନ୍ଦ୍ରୀୟ ସିନାଇ ପ୍ରଦେଶରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡିଥିବାର ସୂଚନା ଦେଇଥିଲା ଇଜିପ୍ଟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ସିନାଇର ପାହାଡିଆ ଅଞ୍ଚଳ ହାସନାରୁ ଠାବ ହୋଇଛି ବିମାନର ଧ୍ୱଂସାବେଶଷ । ଇଜିପ୍ଟର ଉଦ୍ଧାରକାରୀଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।  ତେବେ ଦୁର୍ଘଟଣାର ସ୍ପଷ୍ଟ କାରଣ ଜଣାପଡି ନ ଥିବା ବେଳେ ପାଇଲଟ୍ ଯାନ୍ତ୍ରିକ ତ୍ରୁଟି ନେଇ ସୂଚନା ଦେଇଥିବା କୁହାଯାଉଛି। କିନ୍ତୁ ରୁଷୀୟ ପରିବହନ ମନ୍ତ୍ରଣାଳୟ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ସମ୍ଭାବନାକୁ ଖାରଜ କରିଦେଇଛି। ସେହିପରି ଦୁର୍ଘଟଣାସ୍ଥଳ ନିକଟରେ ଇଜିପ୍ଟ ସେନା ଓ  ଇସଲାମୀୟ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ  ଚାଲିଥିବାରୁ ବିମାନକୁ ଖସାଇ ଦିଆଯାଇଥିବା ନେଇ ଆଶଙ୍କ। କରାଯାଉଛି।