୬ ଦିନ ପରେ ଥିଲା ଜନ୍ମଦିନ: ହେଲେ ମାଟି ମାଆ ପାଇଁ ଦେଇଗଲେ ଜୀବନ

ଜମ୍ମୁ: ୨୨ବର୍ଷ ବୟସରେ ଦେଶ ପାଇଁ ଜୀବନକୁ ସମର୍ପିତ କରିଥିବା କ୍ୟାପେଟନ୍‌ କପିଲ କୁଣ୍ଡୁ ‘ଜୀବନ ଲମ୍ୱା  ନୁହେଁ ବରଂ ବଡ଼ ହେବା ଦରକାର’ ବୋଲି ବିଶ୍ୱାସ କରୁଥିଲେ। ଆଜି ତାଙ୍କର ଏହି ବିଶ୍ୱାସ ସତ୍ୟରେ ପରିଣତ ହୋଇଛି। ଲମ୍ବା ଜୀବନ ଜିଇଁ ନାହାଁନ୍ତି ସହ ହେଲେ ତାଙ୍କ ଜୀବନ କୋଟି ଭାରତୀୟଙ୍କ ପାଇଁ ବଡ଼ ହୋଇ ସବୁ ଦିନ ପାଇଁ ଇତିହାସରେ ଲିପିବଦ୍ଧ ହୋଇ ରହିଗଲା। ଗତକାଲି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଓ ଫାୟରିଂଙ୍ଗରେ ସହିଦ ହୋଇଥିବା ଭାରତ ମାଆର ବୀରପୁତ୍ର କ୍ୟାପଟେନ୍‌ କପିଲ କୁଣ୍ଡୁଙ୍କ ଏହା ହେଉଛି କାହାଣୀ।

‘ଜିନ୍ଦେଗି ବଡି ହୋନି ଚାହିୟେ, ଲମ୍ବି ନେହିଁ’। ଆନନ୍ଦ ଫିଲ୍ମର ଏହି ପ୍ରସିଦ୍ଧ ଡାଇଲଗ୍‌କୁ ନିଜ ଫେସ୍‌ବୁକ୍‌ ଷ୍ଟାଟସ୍‌ ଦେଇଥିଲେ କ୍ୟାପଟେନ୍‌ କୁଣ୍ଡୁ। କପିଲ ୬ଦିନ ପରେ ଫେବ୍ରୁଆରୀ ୧୦ ତାରିଖରେ ନିଜର ୨୩ତମ ଜନ୍ମଦିନ ପାଳନ କରିଥାନ୍ତେ। ଏହାପୂର୍ବରୁ ମାଟି ମାଆକୁ ଅର୍ପଣ କରିଦେଲେ ନିଜ ଲହୁ।

ଗୁରୁଗ୍ରାମ ବାସିନ୍ଦା କପିଲ କୁଣ୍ଡୁଙ୍କ ମୁଣ୍ଡରୁ ବାପାଙ୍କ ହାତ ଉଠିଯିବା ପରଠାରୁ ମାଆ ସୁନୀତା ପୁଅକୁ ଦେଶସେବା ପାଇଁ ପଠାଇବାର ନିଷ୍ପତ୍ତି ନେଇଥିଲେ। କ୍ୟାପ୍‌ଟେନ୍‌ଙ୍କ ସହିଦ ଖବର ଶୁଣିବା ମାତ୍ରେ  ଘରେ ଦୁଇ ଅବିବାହିତ ଭଉଣୀ ଓ ମାଆ ଆଖିରୁ ଲୁହ ଶୁଖୁନି। ପୂରା ଗାଁରେ ସ୍ତବ୍ଧ ହୋଇଯାଇଛି।

ପାକିସ୍ତାନ ପକ୍ଷରୁ ହୋଇଥିବା ଗୁଳିମାଡର ଜବାବ ଦେବା ସମୟରେ କ୍ୟାପ୍‌ଟେନ୍‌ କୁଣ୍ଡୁ ସହିଦ ହୋଇଛନ୍ତି। ତାଙ୍କ ସହ ରାଇଫଲ୍‌ ମ୍ୟାନ ରାମବତାର, ରାଇଫଲ୍‌ ମ୍ୟାନ ଶୁଭମ୍ ସିଂ ଏବଂ ହାବିଲଦାର ରୋଶନ ଲାଲ ମଧ୍ୟ ସହିଦ ହୋଇଛନ୍ତି।