ବିଜେପି ବିଧାୟକଙ୍କ ଝିଅର ବାହାଘର ବୈଧ: କୋର୍ଟ

ପ୍ରୟାଗରାଜ, ୟୁପି: ଉତ୍ତର ପ୍ରଦେଶର ବରେଲି ଜିଲ୍ଲାର ଯୋୖନପୁର ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା ଏବଂ ତାଙ୍କ ସ୍ୱାମୀ ଅଜିତେଶଙ୍କ ବିବାହ ଆଇନସମ୍ମତ। ଆହ୍ଲାବାଦ କୋର୍ଟ ମାମଲାର ଶୁଣାଣି କରି ଏହି ବାହାଘରକୁ ଆଇନସମ୍ମତ ବୋଲି ଘୋଷଣା କରିଛନ୍ତି। ଏଥିସହ ଦମ୍ପତିଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ କୋର୍ଟରେ ଏହି ମାମଲାର ଶୁଣାଣି ପାଇଁ ଦମ୍ପତି ଆସୁଥିବା ବେଳେ ଅଜିତେଶ ମାଡ଼ପିଟର ଶିକାର ହୋଇଥିଲେ। ହେଲେ କିଏ ତାଙ୍କୁ ଆକ୍ରମଣ କରିଛନ୍ତି, ତାହା ଏଯାଏ ଜଣାପଡ଼ି ନାହିଁ। ତେଣୁ ଏହାକୁ ନଜରରେ ରଖି ସାକ୍ଷୀ ଏବଂ ଅଜିତେଶଙ୍କୁ ସୁରକ୍ଷା ଯୋଗାଇ ଦେବା ନିହାତି ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।

ସାକ୍ଷୀ ବ୍ରାହ୍ମଣ ଘରର ଝିଅ ହୋଇଥିବା ବେଳେ ସେ ଯାହାଙ୍କୁ ବିବାହ କରିଛନ୍ତି ସେ ଦଳିତ। ତେଣୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଜୁଲାଇ ୩ ତାରିଖରେ ସାକ୍ଷୀ ଏବଂ ଅଜିତେଶ ଘରୁ ଲୁଚି ପଳାଇଆସିଥିଲେ ଓ ପରେ ବିବାହ କରିଥିଲେ। ଏହାପରେ ସାକ୍ଷୀ ଏକ ଭିଡିଓ ମେସେଜରେ କହିଥିଲେ ଯେ ତାଙ୍କ ବିଧାୟକ ବାପା ତାଙ୍କୁ ହତ୍ୟା ଧମକ ଦେଉଛନ୍ତି। ସେ ଦଳିତ ପୁଅ ସହ ବିବାହ କରୁଥିବାରୁ ତାଙ୍କର ପରିବାର ଲୋକେ ଏହି ବିବାହକୁ ଗ୍ରହଣ କରୁ ନାହାନ୍ତି। ତେଣୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ସେ ନିବେଦନ କରିଥିଲେ।

ଏହାପରେ ବିଧାୟକ ତଥା ସାକ୍ଷୀଙ୍କ ବାପା ରାଜେଶ ମିଶ୍ରା ଏକ ପ୍ରେସ ବିଜ୍ଞପ୍ତି ଜାରି କହିଛନ୍ତି, ସେ ଏ ବିବାହକୁ ବିରୋଧ କରୁ ନାହାନ୍ତି। ତାଙ୍କ ଝିଅର ବୟସ ୧୮ ବର୍ଷରୁ ଅଧିକ। ତେଣୁ ସେ ତା ନିଷ୍ପତ୍ତି ସେ ନିଜେ ନେଇଛି।