ଶକ୍ତି ପ୍ରଦର୍ଶନ କଲେ ଶଶିକଳା

ଚେନ୍ନାଇ: ତାମିଲନାଡୁରେ ରାଜନୈତିକ ଅଙ୍କ ଜଟିଳ ହେବାରେ ଲାଗିଛି। ଏଆଇଏଡିଏମ୍‌କେ ସମ୍ପାଦକ ତଥା ଭାବି ମୁଖ୍ୟମନ୍ତ୍ରୀ ଶଶିକଳା ଆଜି ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି। ସେ ଡାକିଥିବା ବିଧାୟକ ଦଳ ବୈଠକରେ ଏଆଇଏଡିଏମ୍‌କେର ୧୩୪ରୁ ୧୩୧ ସଦସ୍ୟ ଯୋଗଦେଇଥିଲେ। ଏହି ଅବସରରେ ଶଶିକଳା ମୁଖ୍ୟମନ୍ତ୍ରୀ ଓ. ପନିରସେଲଭମ୍‌ଙ୍କୁ ବିଶ୍ୱାସଘାତକ କହିଥିଲେ। ବିରୋଧୀ ଡିଏମ୍‌କେ କଥାରେ ପନିରସେଲଭମ୍‌ ପରିଚାଳିତ ହେଉଥିବା ସେ ଅଭିଯୋଗ କରିଥିଲେ।

ଶଶିକଳାଙ୍କ ଏପରି ଅଭିଯୋଗକୁ ପନିରସେଲଭମ୍‌ ଖଣ୍ଡନ କରିଛନ୍ତି। ଶଶିକଳା ତାଙ୍କୁ ତାଙ୍କୁ କୋଷାଧ୍ୟକ୍ଷ ପଦରୁ ହଟାଇ ପାରିବେ ନାହିଁ ବୋଲି ସେ କହିଛନ୍ତି। ଜନସାଧାରଣ ଓ ଦଳୀୟ କର୍ମକର୍ତ୍ତା ଚାହିଁଲେ ସେ ନିଜ ଇସ୍ତଫା ପ୍ରତ୍ୟାହାର କରି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ମଧ୍ୟ କହିଛନ୍ତି।

ଗତକାଲି ରାତିରେ ପନିରସେଲଭମ୍‌ ଜୟଲଳିତାଙ୍କ ସମାଧି ସ୍ଥଳ ନିକଟକୁ ଯାଇ କିଛି ସମୟ ଧ୍ୟାନରେ ବସିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ପଦରୁ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା ବୋଲି କହିଥିଲେ।