ସଲବିନ୍ଦରଙ୍କୁ କ୍ଲିନ ଚିଟ୍ ଦିଆଯାଇ ନାହିଁ: ଏନଆଇଏ

ନୂଆଦିଲ୍ଲୀ: ପଠାନକୋଟ ଆକ୍ରମଣ ଘଟଣାରେ ସନ୍ଦେହ ଘେରରେ ଥିବା ଗୁରୁଦାସପୁରର ପୂର୍ବତନ ଏସପି ସଲବିନ୍ଦର ସିଂହଙ୍କୁ କ୍ଲିନ ଚିଟ୍ ଦିଆଯାଇଥିବା ଖବରକୁ  ଖଣ୍ଡନ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ। ଏହି ତଦନ୍ତକାରୀ ସଂସ୍ଥା କହିଛି ସଲବିନ୍ଦରଙ୍କ ସାଙ୍ଗ ରାଜେଶ ବର୍ମା, ରୋଷେୟା ମଦନ ଓ  ଉକ୍ତ ଧାର୍ମିକ ସ୍ଥଳୀର କେୟାର ଟେକର ସୋମରାଜଙ୍କର  ଆସନ୍ତା ସପ୍ତାହରେ ପୋଲିଗ୍ରାଫ୍ ଟେଷ୍ଟ୍ କରାଯିବ। ତା’ପରେ ଯାଇ କିଛି କୁହାଯାଇପାରିବ।

 ଏହା ପୂର୍ବରୁ ଖବର ଆସିଥିଲା ଯେ ସଲବିନ୍ଦରଙ୍କୁ ଏନଆଇଏ କ୍ଲିନ  ଚିଟ୍ ଦେଇଦେଇଛି। ଲାଇଡିଟେକ୍ସନ ଟେଷ୍ଟ୍ ଓ  ‌ଅନ୍ୟ ବୈଜ୍ଞାନିକ ଯାଞ୍ଚରେ ତାଙ୍କ ବିରୋଧରେ ଏନଆଇଏକୁ କୌଣସି ଠୋସ ପ୍ରମାଣ ମିଳିନାହିଁ।  ପଠାନକୋଟରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏନଆଇଏର ମୁଖ୍ୟ କାର୍ଯ୍ୟାଳୟରେ  ସଲବିନ୍ଦରଙ୍କୁ ପଚରାଉଚରା  କରାଯାଉଥିଲା।

 ୩୧ ଡିସେମ୍ବର ଓ ଜାନୁୟାରୀ ୧ ତାରିଖ ରାତିରେ ସଲବିନ୍ଦର ସିଂହ, ତାଙ୍କର ସାଙ୍ଗ ରାଜେଶ ବର୍ମା ଓ ରୋଷେୟାଙ୍କୁ ପାକିସ୍ତାନୀ ଆତଙ୍କବାଦୀ  ଅପହରଣ କରି ନେଇଥିଲେ। ଏହା ପରେ ଆତଙ୍କବାଦୀମାନେ ପଠାନକୋଟ ଏୟାରବେସ ଉପରେ ଆକ୍ରମଣ କରିଥିଲେ। ସେମାନେ ସଲବିନ୍ଦରଙ୍କ ନାଲିବତୀ ଗାଡିରେ ଏୟାରବେସ ପର୍ଯ୍ୟନ୍ତ ଆସିଥିଲେ।