ଯୋଧପୁର କୋର୍ଟରେ ପୁଣି ହାଜର ହେଲେ ସଲମାନ୍

ଯୋଧପୁର: ଆଜି ଯୋଧପୁର କୋର୍ଟରେ ହାଜର ହୋଇଛନ୍ତି ବଲିଉଡ ସୁପରଷ୍ଟାର୍ ସଲମାନ୍ ଖାନ୍। କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବେଲ୍‌ ପାଇଥିବା ସଲମାନ୍ କୋର୍ଟଙ୍କ ନିକଟରେ ହାଜର ହୋଇଛନ୍ତି।

ଅଦାଲତ ସଲମାନଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଯାହାକୁ ପୁଣି ଥରେ ବିଚାର କରିବାକୁ ସଲମାନଙ୍କ ପକ୍ଷରୁ ଆବେଦନ ହୋଇଥିଲା। ତେବେ ଏନେଇ କୋର୍ଟରେ ଆଜି ପ୍ରଥମ ଶୁଣାଣି ହୋଇଥିଲା।

ସଲମାନଙ୍କୁ ଦେଖିବା ପାଇଁ ଫ୍ୟାନମାନଙ୍କ ଭିଡ଼ ବଢ଼ିବା ଦୃଷ୍ଟିକୋଣରୁ କୋର୍ଟ ପରିସରରେ ସୁରକ୍ଷାକୁ ବଢ଼ାଯାଇଥିଲା।

ଆଜି ସକାଳ ୮.୩୦ ମିନିଟରେ ଶୁଣାଣି ଆରମ୍ଭ ହୋଇଥିଲା। ଯୋଧପୁର ଜିଲ୍ଲା ଜଜ୍ ଚନ୍ଦ୍ର କୁମାର ସୋନଗରା ଏହାର ଶୁଣାଣି କରିଥିଲେ। ପ୍ରାୟ ୧୦ ମିନିଟ୍‌ ଧରି ଶୁଣାଣି ଚାଲିଥିଲା। ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ଜୁଲାଇ ୧୭ ତାରିଖ ହେବ ବୋଲି ସେ କହିଛନ୍ତି। ଗତମାସ ୭ ତାରିଖରେ ସଲମାନଙ୍କୁ କୋର୍ଟ ଜାମିନ୍‌ ପ୍ରଦାନ କରିଥିଲେ।