ସାମ୍ନାକୁ ଆସିଲା ସଲମାନ ଜେଲ୍‌ ଯିବା ସମୟର ଫଟୋ

ମୁମ୍ବାଇ: ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଆଜି ଯୋଧପୁର ଜିଲ୍ଲା ଓ ସେସନ୍ସ କୋର୍ଟ ସଲମାନଙ୍କୁ ୫ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାରେ ସଲମାନ ଏକୁଟିଆ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ସମସ୍ତ ଅଭିଯୁକ୍ତ ସୈଫ ଅଲୀ ଖାନ୍, ସୋନାଲି ବେନ୍ଦ୍ରେ, ନୀଲମ ଓ ତବୁ ଦୋଷମୁକ୍ତ ହୋଇଛନ୍ତି। ଦଣ୍ଡାଦେଶ ପରେ ସଲମାନଙ୍କୁ ଯୋଧପୁର ସେଣ୍ଟ୍ରାଲ ଜେଲ୍‌କୁ ପଠାଇ ଦିଆଯାଇଛି।

ସେପଟେ କୋର୍ଟଙ୍କ ଦଣ୍ଡାଦେଶକୁ ନେଇ ସଲମାନ ଯେତିକି ଭାବବିହୋଳ ହୋଇଛନ୍ତି ତାଠାରୁ ଅଧିକ ଦୁଃଖିତ ହୋଇଛନ୍ତି ତାଙ୍କ ପ୍ରଶଂସକ। ଏ ଖବର ପାଇବା ପରେ ସୋସିଆଲ ମିଡିଆରେ ଏକ ରକମ ଝଡ ସୃଷ୍ଟି ହୋଇଯାଇଛି। ସଲମାନଙ୍କ ପ୍ରଶଂସକମାନେ ନିଜର ସ୍ୱୀକାର ମତ ପୋଷ୍ଟ କରି ସଲମାନଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପ୍ରତି ଭଲପାଇବା ଦେଖାଇଛନ୍ତି। କିଛି ପ୍ରଶଂସକ ତ ଏମିତି ଲେଖିଛନ୍ତି- ‘ସରା ଦୁନିଆ ଯଦି ସଲମାନଙ୍କ ବିରୁଦ୍ଧରେ ଚାଲିଯାଏ ତେବେ ମୁଁ ସରା ଦୁନିଆ ଆଗରେ ଛିଡା ହେବି’ ଆଉ କିଛି ପ୍ରଶଂସକ ଲେଖିଛନ୍ତି- ‘ଆମେ ସଲମାନଙ୍କୁ ଭଲ ପାଉଥିଲେ , ପାଉଛୁ ଏବଂ ପାଉଥିବୁ’ । କୋର୍ଟ ଯାହା ଦଣ୍ଡାଦେଶ ଦିଅନ୍ତୁ ନା କାହିଁକି ସେମାନେ ଭାଇଜାନ୍‌ଙ୍କୁ ଅପେକ୍ଷା କରିବା ସହ ତାଙ୍କର ସେମିତି ସମ୍ମନା କରୁଥିବେ ବୋଲି ଦର୍ଶାଇଛନ୍ତି। ତେବେ ଆଜି ଦିନସାରା ଏମିତି କିଛି ଭାବମୟ ପୋଷ୍ଟ ଉପରେ ଆପଣଙ୍କର ମଧ୍ୟ ନଜର ପଡିଥିବ। ଜାଣିଛନ୍ତି, ସଲମାନ ଜେଲ୍‌ ଯିବାର ଫଟୋ ମଧ୍ୟ ଫେସ୍‌ବୁକ୍‌ରେ ଭାଇରାଲ୍‌ ହେଉଛି।

ଫ୍ୟାନମାନଙ୍କ ଭିତରେ ଦୁଃଖଦ ମାହୋଲ ବଢିବାକୁ ଯାଉଥିବା ବେଳେ କୋର୍ଟର ଦଣ୍ଡାଦେଶ ପରେ ସଲମାନ ଯୋଧପୁର ଜେଲ୍‌ ଯିବାର ଫଟୋ ସାମ୍ନାକୁ ଆସିଛି। ଯାହାକୁ ଦେଖିବା ପରେ ସଲମାନଙ୍କ ଲକ୍ଷାଧିକ ପ୍ରଶଂସକ ଏକ ରକମ ଭାଙ୍ଗି ପଡିଛନ୍ତି।

ଫଟୋରେ ସଲମାନ ଯୋଧପୁର ସେଣ୍ଟ୍ରଲ ଜେଲ୍‌କୁ ପ୍ରବେଶ କରୁଥିବାର ଦେଖିବାକୁ ମିଳୁଛି। କଳା ସାର୍ଟରେ ଅଛନ୍ତି ସଲମାନ। ମୁହଁକୁ ତଳକୁ କରି ସେ ଜେଲ୍‌ ଭିତରକୁ ଯାଉଛନ୍ତି । ଏବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏମିତିତ ସଲମାନଙ୍କୁ ଅନେକ ଫିଲ୍ମରେ ଜେଲ୍‌ ଯିବାର ଆମେ ଦେଖିଛେ। ହେଲେ ସତରେ ଜେଲ୍‌ ଯିବାର ଦୃଶ୍ୟ ବୋଧହୁଏ ଏଥର ପ୍ରଥମ ଥର  ଦେଖିବାକୁ ପାଇବେ।