ଜେଲ୍ ଗଲେ ସଲମାନ

ଯୋଧପୁର: ଭାଇଜାନ ଗଲେ ଜେଲ୍‌। ବଲିଉଡ୍ ଷ୍ଟାର ସଲମାନ ଖାନ୍‌ଙ୍କୁ ଯୋଧପୁର ସେଣ୍ଟ୍ରାଲ ଜେଲ୍‌ ନିଆଯାଇଛି। ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର ଜିଲ୍ଲା ଓ ସେସନ୍ସ କୋର୍ଟ ୫ ବର୍ଷ ଜେଲ ଦଣ୍ଡାଦେଶ ଦେବା ପରେ ସଲମାନଙ୍କୁ କୋର୍ଟରୁ ସିଧା ଜେଲ୍‌ ନିଆଯାଇଛି। ୫ ବର୍ଷ ଜେଲ୍ ଦଣ୍ଡାଦେଶ ସହିତ କୋର୍ଟ ତାଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସଲମାନ ଆଜି ରାତି ଯୋଧପୁର ଜେଲ୍‌ରେ ରହିବେ। କାରଣ ସେସନ୍ କୋର୍ଟ ଆଜି ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଲେ। ଆସନ୍ତାକାଲି କୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ।

ଦୁଇ ଦଶନ୍ଧି ଧରି ଚାଲିଥିବା ଏହି ମାମଲାରେ ସଲମାନ ଏକୁଟିଆ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ସବୁ ଅଭିଯୁକ୍ତ ସୈଫ ଅଲୀ ଖାନ୍, ସୋନାଲି ବେନ୍ଦ୍ରେ, ନୀଲମ ଓ ତବୁ ଦୋଷମୁକ୍ତ ହୋଇଛନ୍ତି।

୧୯୯୮ ମସିହା ଅକ୍ଟୋବର ୨ ତାରିଖରେ ଯୋଧପୁରରେ କୃଷ୍ଣସାର ମୃଗ ଶିକାର ହୋଇଥିଲା। ସଲମାନଙ୍କ ସମେତ ଅନ୍ୟ କଳାକାରମାନେ ହିନ୍ଦୀ  ଫିଲ୍ମ ‘ହମ୍ ସାଥ ସାଥ ହେ’ର ସୁଟିଂ ବେଳେ କୃଷ୍ଣସାର ମୃଗ ଶିକାର କରିଥିବା ନେଇ ଅଭିଯୋଗ ହୋଇଥିଲା

୨୦୦୬ରେ ସଲମାନ ଯୋଧପୁର ସେଣ୍ଟ୍ରାଲ୍ ଜେଲ୍‌ରେ ୫ ରାତି କାଟି ଥିଲେ। ଏବେ ଏହି ଜେଲ୍‌ରେ ବଳାତ୍କାର ଅଭିଯୋଗରେ ଗିରଫ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁ ମଧ୍ୟ ଅଛନ୍ତି।