ନଖାଇ ଶୋଇପଡ଼ିଲେ ସଲମାନ୍‌

ଯୋଧପୁର: କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ୍‌ ଅଭିନେତା ସଲମାନ୍ ଖାଁଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି ଯୋଧପୁର ଜିଲ୍ଲା ଓ ସେସନ୍ସ କୋର୍ଟ। ଏହା ପରେ ତାଙ୍କୁ ଗତକାଲି ସିଧାସଳଖ କୋର୍ଟରୁ ଯୋଧପୁର ସେଣ୍ଟ୍ରାଲ ଜେଲ୍‌କୁ ନିଆଯାଇଥିଲା। କାରଣ ଗତକାଲି କୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଥିଲେ। ଜେଲରେ ପହଞ୍ଚିବା ପରେ ତାଙ୍କୁ ଭଲ ଭାବେ ଯାଞ୍ଚ କରାଯାଇଥିଲା। ତାଙ୍କୁ ଜେଲର ୨ ନମ୍ବର କଠୋରୀରେ ରଖାଯାଇଥିଲା। ରାତିରେ ତାଙ୍କୁ ଖାଇବାକୁ ରୁଟି, ବନ୍ଧାକୋବି ତରକାରି ଓ ଚଣା ଡାଲି ଦିଆଯାଇଥିଲା। ହେଲେ ସେ ଖାଇବାକୁ ମନା କରି ଦେଇଥିଲେ। ରାତି ସାଢ଼େ ୧୨ଟା ପର୍ଯ୍ୟନ୍ତ ସେ ଚେତା ଥିଲେ। ତା’ପରେ ସେ ଶୋଇପଡ଼ିଥିଲେ।

ସେ ଗତକାଲି ଜେଲ୍ ପୋଷାକ ପିନ୍ଧିବାକୁ ମନା କରି ଦେଇଥିଲେ। ରାତିରେ ଜିନ୍ସି ପ୍ୟାଣ୍ଟ ଓ ବ୍ଲାକ୍ ସାର୍ଟ ପିନ୍ଧି ଶୋଇଥିଲେ ଯାହାକୁ ସେ କୋର୍ଟକୁ ପିନ୍ଧି ଯାଇଥିଲେ।

ଆଜି ସକାଳ ସାଢ଼େ ୬ଟାରେ ଜେଲ୍‌ର ଆଲାରାମ ବାଜିବା ପରେ ସେ ଉଠିଥିଲେ। ଏହାପରେ ଜେଲ୍‌ର ମେନ୍ୟୁ ଅନୁସାରେ ତାଙ୍କୁ ଜଳଖିଆରେ ଖିରି ଖାଇବାକୁ ଦିଆଯାଇଥିଲା। ସେ କିନ୍ତୁ ଏହା ଖାଇବାକୁ ମନା କରି ଦେଇଥିଲେ। ହେଲେ ସକାଳ ପ୍ରାୟ ୭ଟା ୩୦ ସମୟରେ ସଲମାନ୍‌ କ୍ୟାଣ୍ଟିନ୍‌ରୁ ବ୍ରେଡ୍‌ ଓ କ୍ଷୀର ଅର୍ଡର କରିଥିଲେ। ସଲମାନ୍ ଯେପରି ନିଜ ପସନ୍ଦର ଖାଦ୍ୟ ଖାଇପାରିବେ ସେଥିପାଇଁ ଗତକାଲି ତାଙ୍କ ପରିବାର ପକ୍ଷରୁ ଜେଲ୍‌ କ୍ୟାଣ୍ଟିନ୍‌ରେ ୪୦୦ ଟଙ୍କା ଜମା କରାଯାଇଥିଲା।