ସାବାସ ଯବାନ: ବରଫ ଝଡ଼କୁ ବେଖାତିର କରି ୯ ବର୍ଷର ବାଳକକୁ ଡାକ୍ତରଖାନାରେ ପହଞ୍ଚାଇଲେ

ଶ୍ରୀନଗର: ସୀମା ସୁରକ୍ଷା ହେଉ ଅବା ମାନବିକତା ସବୁଥିରେ ଭାରତୀୟ ଯବାନମାନେ ଉଦାହରଣ ସୃଷ୍ଟି କରିଛନ୍ତି। ବହୁ ସମୟରେ ଭାରତୀୟ ଯବାନ ଏମିତି କାମ କରି ଦେଖାଇଛନ୍ତି ଯାହାକୁ କେବଳ ଭାରତୀୟମାନେ ନୁହଁନ୍ତି, ସାରା ବିଶ୍ୱ ସାଲ୍ୟୁଟ୍‌ ମାରିଛି। ପୁଣି ଏମିତି କିଛି କରି ସାରା ବିଶ୍ୱରେ ଭାରତର ନାଁକୁ ଉଚ୍ଚା କରିଛନ୍ତି ଆମ ବାୟୁସେନାର ଦୁଇ ଜଣ ପାଇଲଟ୍‌। ଉତ୍ତର କାଶ୍ମୀରରେ ବରଫ ଝଡ଼ ଲାଗି ରହିଥିବା ବେଳେ ନିଜ ଜୀବନକୁ ବାଜି ଲଗାଇ ତୌଫିକ ନାମକ ଏକ ୯ ବର୍ଷର ବାଳକକୁ ହେଲିକପ୍ଟରରେ ମେଡିକାଲର ପହଞ୍ଚାଇଛନ୍ତି ଏହି ଦୁଇ  ଯବାନ। ଏମାନେ ହେଲେ, ଶ୍ରୀନଗର ଏୟାରଫୋର୍ସର ସ୍କ୍ୱାଡନ୍‌ ଲିଡର ବିନୀତ ସିଂହ ସିକରୱାର ଏବଂ ତାଙ୍କ ସହ ପାଇଲଟ୍‌ ଲକ୍ଷ୍ୟ ମିତ୍ତଲ।

ଘଟଣାଟି ଏହିପରି। ଉତ୍ତର କାଶ୍ମୀରର ବାନ୍ଦିପୁରା ଜିଲ୍ଲାର ଗୁରେଜ ଅଞ୍ଚଳର ତୌଫିକ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। ଆପେଣ୍ଡିସାଇଟ୍‌ସ କାରଣରୁ ତାକୁ ବହୁତ କଷ୍ଟ ହେଉଥିଲା। ଗୁରେଜରେ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ନଥିବାରୁ ଡାକ୍ତର ତୌଫିକକୁ ଶ୍ରୀନଗର ନେଇଯିବାକୁ ତାଙ୍କ ବାପାଙ୍କୁ କହିଥିଲେ। ହେଲେ ଖରାପ ପାଗ କାରଣରୁ ଯାତାୟତ ବନ୍ଦ ହୋଇଯାଇଥିଲା। ଏହାସହ ବରଫ ଝଡ଼ ଯୋଗୁଁ ତୌଫିକକୁ ୧୨୦ କିମି ଦୂର ଶ୍ରୀନଗର ନେବା ସମ୍ଭବ ହୋଇ ନଥିଲା। ଏପରି ସ୍ଥିତିରେ ତୌଫିକର ପରିବାର ଲୋକେ ପୋଲିସ୍‌ ଓ ଏୟାରଫୋର୍ସକୁ ସହାୟତା ପାଇଁ ଅନୁରୋଧ କରିଥିଲେ।

ତୌଫିକଙ୍କ କଷ୍ଟ ଦେଖି ଏୟାରଫୋର୍ସ ଅଧିକାରୀ ଡେରି ନକରି ଶ୍ରୀନଗର ଷ୍ଟେସନକୁ ଏକ ହେଲିକପ୍ଟର ତୁରନ୍ତ ପଠାଇବାକୁ କହିଥିଲେ। ହେଲେ ଏତେ ମାତ୍ରାରେ ତୁଷାରପାତ ହେଉଥିଲା ଯେ, ହେଲିକପ୍ଟର ଆସିବା ସମ୍ଭବ ହୋଇ ନଥିଲା। ଏହାରି ଭିତରେ ପାଗ ଟିକେ ବଦଳି ଥିବା ଖବର ଆସିଥିଲା। ଏହା ଶୁଣିବା ମାତ୍ରେ କାଳ ବିଳମ୍ବ ନକରି ଦୁଇ ପାଇଲଟ ତୌଫିତକୁ ଆଣିବାକୁ ବାହାରି ପଡିଥିଲେ। କଳାବାଦଲ ଓ ବରଫପାତ ମଧ୍ୟରେ ଜୀବନକୁ ବାଜି ଲଗାଇ ଉଭୟ ଗୁରେଜରେ ପହଞ୍ଚି ତୌଫିକ ଏବଂ ତାଙ୍କ ବାପାଙ୍କୁ ଧରି ଶ୍ରୀନଗର ଫେରିଥିଲେ। ଏବେ ଶ୍ରୀନଗରର ଏକ ହସ୍ପିଟାଲରେ ତୌଫିତଙ୍କ ଚିକିତ୍ସା ଚାଲିଛି।

ବାୟୁସେନା ପକ୍ଷରୁ ତୌଫିକ ଶୀଘ୍ର ଭଲ ହେବା ନେଇ ପ୍ରାର୍ଥନା କରାଯାଇଛି।