ସମାଜବାଦୀ ପାର୍ଟି ନେତାଙ୍କୁ ଅପହରଣ ପରେ ହତ୍ୟା କଲେ ମାଓବାଦୀ

ରାୟପୁର: ଛତିଶଗଡର ସମାଜବାଦୀ ପାର୍ଟିର ନେତା ସନ୍ତୋଷ ପୁନେମଙ୍କୁ ମାଓବାଦୀ ଆଜି ହତ୍ୟା କରିଛନ୍ତି। ବିଜାପୁର ଜିଲ୍ଲାରେ ଏଭଳି ନାରକୀୟ କାଣ୍ଡ ଘଟାଇଛନ୍ତି ମାଓବାଦୀ। ପୁନେମଙ୍କୁ ଅପହରଣ କରିବା ପରେ ମାଓବାଦୀ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।
ପୁନେମ ସମାଜବାଦୀ ପାର୍ଟିର ନେତା ହେବା ସହିତ ପେସାରେ ଜଣେ କଣ୍ଚ୍ରାକ୍ଟର ବୋଲି ଜଣାପଡ଼ିଛି। ମଙ୍ଗଳବାର ଦିନ ବିଜାପୁର ଜିଲ୍ଲାର ମରିମଲା ଗାଁରେ ଏକ ନିର୍ମାଣ କାମ ଚାଲିଥିବା ବେଳେ ସେଠାକୁ ସନ୍ତୋଷ ଯାଇଥିଲେ। ମାଓବାଦୀ ସେଠାରୁ ତାଙ୍କୁ ଅପହରଣ କରିନେଇଥିଲେ।
ଆଜି ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଜଙ୍ଗଲର ଥିବା ଏକ ଖୁଣ୍ଟି ନିକଟରେ ସନ୍ତୋଷ ପୁନେମଙ୍କ ମୃତ ଦେହକୁ ଦେଖିବାକୁ ପାଇଥିଲେ। ଏହାପରେ ଏକ ପୁଲିସ ଟିମ୍ ଜଙ୍ଗଲ ଭିତରକୁ ସର୍ଚ୍ଚ ଅପରେଶନ କରିବାକୁ ଯାଇଥିଲା। ଜଙ୍ଗଲ ଭିତରେ ଏକ ବୋଲେରୋ, ତିନୋଟି ଟ୍ରକକୁ ପୋଡ଼ି ଦିଆଯାଇଥିବା ପୁଲିସ ଅଧିକାରୀ ଦିବ୍ୟଙ୍ଗ ପଟେଲ କହିଛନ୍ତି।
ନିକଟରେ ହୋଇଥିବା ଛତିଶଗଡ ବିଧାନସଭା ନିର୍ବାଚନରେ ପୂନେମ ବିଜାପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ।