ବାବାଙ୍କ ପରେ ବାବା: ସନ୍ଥ ରାମପାଲ ଦୋଷମୁକ୍ତ, ତଥାପି ଜେଲରେ ରହିବେ

ହିସାର(ହରିୟାଣା): ପୁଣି ସେହି ହରିୟାଣା। ଏଥର ଥିଲା ବିବାଦୀୟ ବାବା ତଥା ଆତ୍ମଘୋଷିତ ବାବା ସନ୍ଥ ରାମପାଲଙ୍କ ପାଳି। ବଳାତ୍କାର ମାମଲାରେ ସଦ୍ୟ ଦୋଷୀ ସାବ୍ୟସ୍ତ ହୋଇ ଥିବା ବାବା ଗୁରମିତ ରାମ ରହମିଙ୍କ ପରେ ଆଜି ଆଉ ଜଣେ ବିବାଦୀୟ ବାବା ସନ୍ଥ ରାମପାଲଙ୍କ ଶୁଣାଣି ଥିଲା। ବିଭିନ୍ନ ଅପରାଧରେ  ଅଭିଯୁକ୍ତ ଥିବା ବାବା ସନ୍ଥ ରାମପାଲଙ୍କୁ କିନ୍ତୁ ଆଜି କୋର୍ଟରେ ସାମାନ୍ୟ ଆଶ୍ୱସ୍ତି ମିଳିଛି।  ସନ୍ଥ ରାମପାଲଙ୍କୁ ହରିୟଣାର ହିସାର କୋର୍ଟ ଦୁଇଟି ମାମଲାରେ ଦୋଷ ମୁକ୍ତ କରିଛନ୍ତି। ତେବେ ରାମପାଲଙ୍କ ବିରୋଧରେ  ଆଉ ଦୁଇଟି ମାମଲା ତଥା ଦେଶଦ୍ରୋହ ଏବଂ ହତ୍ୟା ମାମଲା ଚାଲୁ ରହିବ। ଅର୍ଥାତ ବାବା ଏବେ ଜେଲରେ ରହିବେ।  ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଶୁଣାଣି ହୋଇଥିଲା। FIR ନମ୍ବର 426ରେ ସରକାରୀ କାମରେ ବାଧା ସୃଷ୍ଟି କରିବା ବା ପୋଲିସକୁ ଆକ୍ରମଣ କରିବା ଓ 427ରେ ଆଶ୍ରମରେ ଲୋକମାନଙ୍କୁ ରଖି ହିଂସାକାଣ୍ଡ ଘଟାଇବା ଅଭିଯ଼ୋଗରେ ମାମଲା ରୁଜ୍ଜୁ କରାଯ଼ାଇଥିଲା। ଯେଉଁଥିରୁ ବାବାଙ୍କୁ ଦୋଷମୁକ୍ତ କରାଯାଇଛି।

ହରିୟାଣାର ହିସାରରେ ବାବାଙ୍କର ୧୨ ଏକର ଜିମିରେ ଏକ ବିରାଟ ଆଶ୍ରମ ରହିଛି। ୨୦୦୬ରେ ରାମପାଲ ଆର୍ଯ୍ୟସମାଜକୁ କଟାକ୍ଷ କରିବା ପରେ  ଏହାକୁ ନେଇ ରୋହତକରେ ଆର୍ଯ୍ୟସମାଜ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ହିସାକାଣ୍ଡ ଘଟିଥିଲା।  ଏହି ସଂଘର୍ଷରେ ଜଣେ ଆର୍ଯ୍ୟସମାଜ କର୍ମୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ରାମପାଲଙ୍କ ନାଁରେ ହତ୍ୟା ମାମଲା ରୁଜୁ ହେବା ସହ ତାଙ୍କୁ ଗିରଫ କରିଥିଲା ପୁଲିସ । ହେଲେ ୨୦୦୮ରେ ସେ ଜାମିନରେ ଆସିଥିଲେ । କିନ୍ତୁ ପରେ ୪୩ଥର ସମନ ପରେ ବି ରାମପାଲ ଆଉ କୋର୍ଟରେ ହାଜର ହୋଇ ନ ଥିଲେ । ୨୦୧୪ରେ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ ହାଇକୋର୍ଟ । ହିସାରସ୍ଥିତ ସତଲୋକ ଆଶ୍ରମରେ ପୁଲିସ ତାଙ୍କୁ ଗିରଫ କରିବାକୁ ଯାଇଥିବା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପୋଲିସ ଏବଂ ବାବା ସମର୍ଥକଙ୍କ ମଧ୍ୟରେ ୧୦ ଦିନ ଧରି ମୁହାମୁହିଁ ପରିସ୍ଥିତି ହୋଇଥିଲା।  ପୋଲିସ ଆଶ୍ରମ ଭିତରରକୁ ପ୍ରବେଶ ପାଇଁ ଉଦ୍ୟମ କରିବାରୁ ବବାଙ୍କ ଗୁଣ୍ଡାମାନେ ବାଧା ସୃଷ୍ଟି କରିଥିଲେ।  ପ୍ରବଳ ଆକ୍ରମଣ ବି କରିଥିଲେ। ପୋଲିସ ଏବଂ ବାବାଙ୍କ ସମର୍ଥକଙ୍କ ମଧ୍ୟରେ ଜୋଦଦାର ସଂଘର୍ଷ ହୋଇଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ବହୁ ଉଦ୍ୟମ ପରେ ବାବାଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ବାବାଙ୍କ ବିରୋଧରେ ଦେଶ ଦ୍ରୋହ, ଲୋକଙ୍କୁ ଏକାଠି କରି ଦଙ୍ଗା ସୃଷ୍ଟି କରିବା, ସରକାରୀ କର୍ମଚାରୀଙ୍କ କାମରେ ବାଧା ସୃଷ୍ଟି କରିବା ତଥା ପୋଲିସକୁ ଆକ୍ରମଣ କରିବା ଆଦି ମାମଲା ରୁଜୁ ହୋଇଥିଲା।