ସନ୍ଥ ଉପାଧିରେ ଭୂଷିତ ହେଲେ ମଦର ଟେରେସା

mather-teresaଭାଟିକାନ ସିଟି: ମଦର ଟେରେସାଙ୍କୁ ଆଜି ସନ୍ଥ ଉପାଧିରେ ଭୂଷିତ କରାଯାଇଛି। ଭାଟିକାନ୍ ସିଟିରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଟେରେସାଙ୍କୁ ‘ସେଣ୍ଟହୁଡ୍‌’ ପ୍ରଦାନ କରିଛନ୍ତି ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ ଫ୍ରାନସିସ୍‌। ଏକ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଏଥିଲାଗି ବ୍ୟାପକ ଆୟୋଜନ କରାଯାଇଥିଲା। ଉତ୍ସବରେ ଯୋଗଦେବା ପାଇଁ  ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସୁରାଜଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରୋମ୍‌ ଯାଇଛନ୍ତି। ମିଶନାରି ଅଫ୍‌ ଚ୍ୟାରିଟି ପକ୍ଷରୁ ନିମନ୍ତ୍ରିତ ହୋଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା  ବାନାର୍ଜୀ ମଧ୍ୟ ଏକ ସ୍ୱତନ୍ତ୍ର ଦଳ ସହ ରୋମ ଯାଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

ପୂର୍ବରୁ ୨୦୦୩ରେ ମଦର ଟେରେସାଙ୍କୁ ବିଟିଫିକେସନ କରାଯାଇଥିଲା। କ୍ୟାଥଲିକ୍ ଧର୍ମୀୟ ପରମ୍ପରା ଅନୁଯାୟୀ ଜଣେ ତାଙ୍କ ଜୀବନରେ ଦୁଇଟି ଚମତ୍କାରିତା ପ୍ରଦର୍ଶନ କଲେ ସେ ସନ୍ଥ ଉପାଧି ପାଇପାରିବେ।

ମାସିଡୋନିଆର ରାଜଧାନୀ ସୋପ୍‌ଜେ ସହରରେ ୧୯୧୦ ଅଗଷ୍ଟ ୨୬ ତାରିଖରେ ମଦର ଟେରେସା ଜନ୍ମ ଗ୍ରହଣ କରିଥିଲେ। ଜନ୍ମ ବେଳେ ତାଙ୍କ ନାଁ ଆଗ୍ନେସ୍‌ ଥିଲା। ପିଲାଟି ଦିନରୁ ବେଙ୍ଗଲରେ ସେବା କରୁଥିବା ନନ୍‌ଙ୍କ ସମ୍ପର୍କରେ ଶୁଣି ସେ ଭାରତବର୍ଷ ପ୍ରତି ଆକୃଷ୍ଟ ହୋଇଥିଲେ। ୧୨ ବର୍ଷ ବୟସରେ ସେ ନନ୍‌ ହେବାକୁ ମନସ୍ଥ କରିଥିଲେ। ୧୮ ବର୍ଷ ବୟସରେ ଧର୍ମ ପ୍ରଚାର ଉଦ୍ଦେଶ୍ୟରେ ଘର ଛାଡିଥିଲେ।

ଇଂଲିଶ ଶିଖିବା ପାଇଁ ଆୟର୍ଲାଣ୍ଡ ଯାଇ ସେ ସିଷ୍ଟର ଅପ୍‌ ଲୋରେଟୋରେ ସାମିଲ ହୋଇଥିଲେ। ୧୯୨୯ ମସିହାରେ ପ୍ରଥମ ଥର ପାଇଁ ଭାରତରେ ପାଦ ଥାପି ଥିଲେ ଆଗ୍ନେସ୍‌। ପ୍ରଥମେ ସେ ଦାର୍ଜିଲିଂର ଏକ କନ୍‌ଭେଣ୍ଟ ସ୍କୁଲରେ ରହି ବେଙ୍ଗଲି ଶିଖିବା ପରେ କଲିକତାର ଲୋଟେଟୋ କନ୍‌ଭେଣ୍ଟରେ ଶିକ୍ଷକତା କରିଥିଲେ। ୧୯୪୩ର ମରୁଡ଼ି ଓ ୧୯୪୬ର ସାମ୍ପ୍ରଦାୟିକ ହିଂସା ତାଙ୍କ ମନରେ ଗଭୀର ଆଘାତ ଦେଇଥିଲା। ଅନ୍ତରଆତ୍ମାର ଆହ୍ୱାନରେ ସେ ଭାରତରେ ବସବାସ କରୁଥିବା ଗରିବଙ୍କ ସାହାଯ୍ୟ ପାଇଁ ଶିକ୍ଷକତା ଛାଡି ସମାଜ ମଙ୍ଗଳ କାର୍ଯ୍ୟ ଆରମ୍ଭ କରିଥିଲେ।

ପ୍ରଥମେ ଛୋଟ ବଡ଼ କାମ କରୁଥିବା ମଦର ଟେରେସା ୧୯୫୦ ମସିହାରେ ୧୩ ଜଣ ଯୁବା ବୟସର ମହିଳାଙ୍କୁ ନେଇ ଆରମ୍ଭ କରିଥିଲେ ମିଶିନାରୀ ଅଫ୍‌ ଚାରିଟି। ସଂଗଠନର ସଦସ୍ୟମାନେ ମଦର ଟେରେସାଙ୍କ ନେତୃତ୍ୱରେ କୁଷ୍ଠ, ଏଡସ୍‌ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ଲୋକଙ୍କର ସେବା କରୁଥିଲେ। ସେବା ଭାବନା ଯୋଗୁଁ ସେ ଚାରିଆଡେ ମଦର ଟେରେସା ନାମରେ ପରିଚିତ ହୋଇଥିଲେ।

ନିଃସ୍ୱାର୍ଥପର ସେବା ପାଇଁ ୧୯୬୨ ମହିସାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ସେହିବର୍ଷ ସେ ସମ୍ମାନଜନକ ରମଣ ମାଗାସେସ୍‌ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ୧୯୮୦ରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ୧୯୭୯ ମସିହା ଥିଲା ତାଙ୍କ ପାଇଁ ସବୁଠାରୁ ବଡ଼ ସମ୍ମାନର ବର୍ଷ। ଏହି ବର୍ଷ ତାଙ୍କୁ ମିଳିଥିଲା ସମ୍ମାନଜନକ ନୋବେଲ ପୁରସ୍କାର।

୧୯୮୩ ମସିହାରୁ ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ୧୯୯୭ ମସିହାରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ହୃଦଘାତ, ବାରମ୍ବାର ଜ୍ୱର ଓ ଅନ୍ୟାନ୍ୟ ରୋଗରେ ପୀଡିତ ହୋଇ ସେହିବର୍ଷ ସେପ୍ଟେମ୍ବର ୫ ତାରିଖରେ ଏହି ମହୀୟସି ମହିଳା ଚିରଦିନ ପାଇଁ ଆଖି ବୁଝିଥିଲେ।