ମାର୍ଚ୍ଚରେ ହୋଇପାରେ ମୋଦି-ସରିଫ୍ ସାକ୍ଷାତ

ଇସଲାମବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍ ଆସନ୍ତା ମାସରେ ୱାଶିଂଟନ୍‌ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିପାରନ୍ତି। ଆସନ୍ତା ମାସରେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ପରମାଣୁ ସୁରକ୍ଷା ସଂପର୍କିତ ଏକ ସମ୍ମିଳନୀ ଆୟୋଜନ କରିଛନ୍ତି। ସମ୍ମିଳନୀକୁ ସେ ଉଭୟ ଭାରତ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଦୁହେଁ ଆମନ୍ତ୍ରଣ ସ୍ୱୀକାର ମଧ୍ୟ କରିଛନ୍ତି। ଏହି ସମ୍ମିଳନୀ ବାହାରେ ସରିଫ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ସରିଫ୍‌ଙ୍କ କାର୍ଯ୍ୟାଳୟ ତରଫରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ।

ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେରିକାରେ ପରମାଣୁ ସମ୍ମିଳନୀ ଅବସରରେ ସରିଫ୍ ଓ ମୋଦିଙ୍କ ସାକ୍ଷାତ ଆଲୋଚନା ସମ୍ଭାବନା ଖୁବ୍ ଅଧିକ ରହିଛି। ତେବେ ଦୁଇ ଦେଶର ଇତିହାସକୁ ଦେଖିଲେ ଏଥିରେ ଏବେ କୌଣସି ଗ୍ୟାରେଣ୍ଟି ଦେବା ଠିକ୍ ହେବ ନାହିଁ।

ବାରାକ ଓବାମାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ପରମାଣୁ ସୁରକ୍ଷା ସମ୍ମିଳନୀରେ ପ୍ରଥମ ଥର ପାଇଁ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଯୋଗ ଦେଉଛନ୍ତି। ଆସନ୍ତା ମାର୍ଚ୍ଚ ୩୧ ଓ ଏପ୍ରିଲ ୧ ତାରିଖରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ।