ଶଶିକଳାଙ୍କ ପାଇଁ ଜେଲ୍‌ରେ ଅଲଗା ରୋଷେଇ ଘର, ୨ କୋଟିର ଡିଲ୍‌

ବେଙ୍ଗାଲୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସେଣ୍ଟ୍ରାଲ୍‌ ଜେଲ୍‌ରେ ଥିବା ଏଆଇଏଡିଏମକେ ମୁଖ୍ୟ ଶଶିକଳାଙ୍କୁ ମିଳୁଛି ଭିଭିଆଇପି ସୁବିଧା। ଏପରିକି ଜେଲ୍‌ରେ ତାଙ୍କ ପାଇଁ ଅଲଗା ରୋଷେଇର ବ୍ୟବସ୍ଥା କରାଯାଇଛି। ଏହା ଆଉ କେହି ନୁହେଁ ଜେଲ ବିଭାଗର ଡିଆଇଜି ଅଭିଯୋଗ ଆଣିଛନ୍ତି। ଏନେଇ ସେ ଜେଲ୍‌ ବିଭାଗର ଡିଜିପିଙ୍କୁ ଚିଠି ଲେଖି ଜଣାଇଛନ୍ତି।

ଡିଜିପିଙ୍କୁ ଲେଖାଥିବା ଚିଠିରେ ସେ ଉଲ୍ଲେଖ କରିଛନ୍ତି,“ଜେଲ୍‌ରେ ଶଶିକଳାଙ୍କ ପାଇଁ ସ୍ୱତନ୍ତ୍ର ରୋଷେଇ ଘରର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୨ କୋଟି ଟଙ୍କାର ଡିଲ୍‌ ହୋଇଛି। ଏହି ଡିଲ ସମ୍ପର୍କରେ ଡିଜିପି ମଧ୍ୟ ଜାଣିଛନ୍ତି ଓ ଏଥିରେ ସାମିଲ ଅଛନ୍ତି।”

ଜୁଲାଇ ୧୦ ତାରିଖରେ କେନ୍ଦ୍ରୀୟ କାରାଗାରର ନିରୀକ୍ଷଣ କରିବା ପରେ ଡିଆଇଜି ଡିଜିପିଙ୍କୁ ଏହି ଚିଠି ଲେଖିଥିଲେ।