ଶନିବାର ସ୍କୁଲ୍‌କୁ ବହିବସ୍ତାନୀ ମନା: ଯୋଗୀ ଘୋଷଣା କଲେ ଚାପମୁକ୍ତ ଫର୍ମୁଲା

ଲକ୍ଷ୍ନୌ: ଶନିବାର ଦିନ ସ୍କୁଲରେ ହେବନି ପାଠପଢା। ପିଲାମାନେ ରହିବେ ଚାପମୁକ୍ତ।  ପଢା ବଦଳରେ ସେମାନେ ଖେଳିବେ ବୁଲିବେ ଆଉ ମଉଜ କରିବେ । ଉତ୍ତରପ୍ରଦେଶ ସରକାର ଏମିତି କିଛି ନିଷ୍ପତ୍ତି ନେଇଛନ୍ତି।  ତେଣୁ ଶନିବାର ଦିନ ପିଲାମାନେ ସ୍କୁଲ ବ୍ୟାଗ ନ ଆଣିବାକୁ  ୟୁପି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଘୋଷଣା କରିଛନ୍ତି। ୟୁପିର  ପ୍ରାଥମିକ ବିଦ୍ୟାଳୟ ଠାରୁ  ଉଚ୍ଚପ୍ରାଥମିକ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟରେ ଏହି ନିୟମ ଲାଗୁ ହେବ।  ଏ ସମ୍ପର୍କରେ ୟୁପିର ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ଦିନେଶ ଶର୍ମାଙ୍କ କହିବା ଅନୁଯାୟୀ ପୂର୍ବରୁ ଶିକ୍ଷାବିଭାଗର ଅଧିକାରୀଙ୍କ ମଧ୍ୟରେ ଏହି ନିଷ୍ପତିକୁ ନେଇ ବୈଠକ ହୋଇଥିଲା।

ବୈଠକରେ ସ୍କୁଲରେ ପିଲାଙ୍କୁ  ଗୋଟିଏ ଦିନ ସ୍କୁଲ ବ୍ୟାଗ୍‌ରୁ ନିବୃତ୍ତ ରଖିବା ପାଇଁ ଆଲୋଚନା ହୋଇଥିଲା।  ବହିଖାତା ଭର୍ତ୍ତି ଓଜନିଆ ବ୍ୟାଗ୍‌ ଯୋଗୁ ପିଲାମାନଙ୍କ ମସ୍ତିଷ୍କ, ବେକ ଏବଂ ଆଣ୍ଠୁ ଉପରେ ପ୍ରଭାବ ପଡ଼ୁଛି ।  ସେହିପରି ନିକଟରେ ହୋଇଥିବା ଏକ ସର୍ଭେ ଅନୁଯାୟୀ ପିଲାଙ୍କ ଓଜନର ୩୦ରୁ ୪୦ ପ୍ରତିଶତ ଅଧିକ ଓଜନର ବ୍ୟାଗ୍‌ ସେମାନଙ୍କ କାନ୍ଧରେ ଲଦି ଦିଆଯାଉଛି। ଯାହା ୧୦ ପ୍ରତିଶତ ମଧ୍ୟରେ ସୀମିତି ରହିବା ଆବଶ୍ୟକ। ତେଣୁ ପିଲାମାନଙ୍କୁ ଅଜଥା ବୋଝରୁ ମୁକ୍ତିପାଇଁ  ଗୋଟିଏ ଦିନ  ସ୍କୁଲ ବ୍ୟାଗ ନ ଆଣିବାକୁ କୁହାଯାଇଛି।