ଏସ୍‌ବିଆଇ ଦେଲା ଗ୍ରାହକଙ୍କୁ ଝଟ୍‌କା, କମିଲା ସୁଧହାର

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ୍‌ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସ୍‌ବିଆଇ) ତା’ର ଗ୍ରାହକମାନଙ୍କୁ ବଡ଼ ଝଟ୍‌କା ଦେଇଛି। ବ୍ୟାଙ୍କ୍‌ ଅଲଗା ଅଲଗା ଅବଧିର ଫିକ୍ସ ଡିପୋଜିଟ୍‌ ଉପରେ ସୁଧର ହାର ହ୍ରାସ କରିଛି। ଯେଉଁ ଗ୍ରାହକମାନେ ଫିକ୍ସଡ ଡିପୋଜିଟ୍‌ କରି ଏହାକୁ ଇନ୍‌ଭେଷ୍ଟମେଣ୍ଟର ଏକ ବିକଳ୍ପ ଭାବରେ ବାଛିଥିଲେ, ସେମାନଙ୍କୁ ଏସ୍‌ବିଆଇର ଏହି ନିଷ୍ପତ୍ତି ଅସନ୍ତୁଷ୍ଟ କରିଛି। ଫିକ୍ସଡ ଡିପୋଜିଟ୍‌ ଉପରେ ବ୍ୟାଙ୍କ୍‌ ନିବେଶକଙ୍କୁ ଅଲଗା ଅଲଗା ହାରରେ ସୁଧ ଦେଇଥାଏ। ତେବେ ଏହି ସୁଧର ହାରକୁ ବ୍ୟାଙ୍କ୍‌ କମାଇ ଦେଇଛି। ଏହାର ଅର୍ଥ ଆପଣଙ୍କର ଏସ୍‌ବିଆଇରେ ଫିକ୍ସ ଡିପୋଜିଟ୍‌ ଥିଲେ ଆପଣ ପୂର୍ବ ଅପେକ୍ଷା କମ୍‌ ସୁଧ ପାଇବେ।

୦.୭୫ ପ୍ରତିଶତ କମିଲା ସୁଧହାର

ସୋମବାର ଏସ୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ୧୭୯ ଦିନର ଶର୍ଟ ଟର୍ମ ଫିକ୍ସଡ ଡିପୋଜିଟ୍‌ ଉପରେ ୦.୫ ରୁ ୦.୭୫ ପ୍ରତିଶତ ସୁଧ ହ୍ରାସ କରାଯାଇଛି। ସେହିପରି ଲଙ୍ଗ୍‌ ଟର୍ମ ଫିକ୍ସଡ ଡିପୋଜିଟ୍‌ କରିଥିବା ରିଟେଲ୍‌ ସେଗମେଣ୍ଟରେ ୦.୨୦ ପ୍ରତିଶତ ଓ ବଲକ୍ ସେଗମେଣ୍ଟରେ ୦.୩୫ ପ୍ରତିଶତ ସୁଧ ହ୍ରାସ କରାଯାଇଛି।

ଏହା ବ୍ୟତୀତ ୨ କୋଟି ଏବଂ ଏହାଠାରୁ ଅଧିକ ଫିକ୍ସଡ ଡିପୋଜିଟ୍‌ ଉପରେ ମଧ୍ୟ ସୁଧହାର ହ୍ରାସ କରାଯାଇଛି। ଏହି ନିୟମ ୧ ଅଗଷ୍ଟରୁ ୨୦୧୯ରୁ ଲାଗୁ ହେବ ବୋଲି ବ୍ୟାଙ୍କ୍ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଏସ୍‌ବିଆଇ ନୁହେଁ, ପ୍ରାଇଭେକ୍ଟ ସେକ୍ଟର ବ୍ୟାଙ୍କ୍‌ ଏଚ୍‌ଡିଏଫ୍‌ସି ମଧ୍ୟ ଫିକ୍ସ ଡିପୋଜିଟ୍‌ ସୁଧହାରରେ ପରିବର୍ତ୍ତନ କରିଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ୩୦ ଦିନରୁ ୬ ମାସ ଓ ୬ ମାସରୁ ୧ ବର୍ଷ ଅବଧିର ମ୍ୟାଚୋର୍‌ ହେଉଥିବା ଫିକ୍ସଡ ଡିପୋଜିଟ୍‌ ଉପରେ ସୁଧହାର ହ୍ରାସ କରାଯାଇଛି। ଏହା ବ୍ୟତୀତ ଲଙ୍ଗ୍‌ ଟର୍ମ ଏଫ୍‌ଡି ଉପରେ ମଧ୍ୟ ସୁଧହାର କମ୍‌ କରାଯାଇଛି।

କିନ୍ତୁ ୭ ଦିନରୁ ୨୯ ଦିନ ପର୍ଯ୍ୟନ୍ତ ହୋଇଥିବା ଫିକ୍ସଡ ଡିପୋଜିଟ୍‌ ଉପରେ ସୁଧହାର ଅପରିବର୍ତ୍ତିତ ରହିଛି। ଏହାର ଅର୍ଥ ଏହି ଏଫ୍‌ଡିରେ ଗ୍ରାହକଙ୍କୁ ପୂର୍ବ ପରି ୪.୨୫ ପ୍ରତିଶତ ସୁଧ ମିଳିବ। ଏହା ପୂର୍ବରୁ ସରକାର ଏନ୍‌ପିଏସ୍‌, କିଷାନ୍‌ ବିକାଶ ପତ୍ର ଓ ପିପିଏଫ୍‌ ପରି ଛୋଟ ସ୍କିମ୍‌ ଉପରେ ମଧ୍ୟ ସୁଧହାର ହ୍ରାସ କରି ସାରିଛନ୍ତି।