ଇଣ୍ଟରନେଟରେ ଉଲଗ୍ନ ଏବଂ ରେପ୍‌ ଭିଡିଓକୁ ନେଇ ଉଦବେଗ୍‌ ପ୍ରକାଶ କଲେ ସୁପ୍ରିମକୋର୍ଟ: ବନ୍ଦ ପାଇଁ ବାଟ ବତାଇଲେ

ନୂଆଦିଲ୍ଲୀ: ଇଣ୍ଟରନେଟରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଏବଂ ରେପ୍‌ ଭିଡିଓକୁ ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ। ଇଣ୍ଟରନେଟରେ ଛୋଟପିଲାଙ୍କୁ ନେଇ ପର୍ଣ୍ଣ ଭିଡିଓ ଏବଂ ରେପ୍‌ ଭିଡିଓକୁ ହଟେଇବା ଲାଗି ପଦକ୍ଷେପ ନେବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ଅଶ୍ଳୀଳ ଛବି ଓ ଭିଡ଼ିଓ ଅପଲୋଡ୍‌ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହିପରିପ୍ରେକ୍ଷୀରେ ଅଦାଲତ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି। ଏମିତି ଭିଡ଼ିଓ ଅପଲୋଡ୍‌ ହେଉଥିଲେ ଅଭିଯୋଗ ପାଇଁ କେନ୍ଦ୍ର ସରକାର ଏକ ୱେବ ପୋର୍ଟାଲ ଖୋଲିବା ଦରକାର। ଯେଉଁ ୱେସାଇଟ୍‌ରେ ସହଜରେ ଅଭିଯୋଗ କରିହେବ।

ସେହିପରି ଆପତ୍ତି ଅଭିଯୋଗ ପାଇଁ କେନ୍ଦ୍ର ସରକାର  ହଟ୍‌ଲାଇନ୍‌ର ବ୍ୟବସ୍ଥା କରିବା ଉଚିତ। ଏଥିରେ ଫୋନ୍ କରି ଅଶ୍ଳୀଳ ଛବି ଓ ଭିଡ଼ିଓ ସମ୍ପର୍କରେ ଅଭିଯୋଗ କରିହେବ। ପୂର୍ବରୁ ଏ ସମ୍ପର୍କରେ ବହୁ ଅଭଯୋଗ ଆସିବା ପରେ ଏହାର ସମାଧାନ ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଥିଲେ। କମିଟିରେ ଗୁଗୁଲ,ୟାହୋ, ମାଇକ୍ରୋସଫ୍ଟ  ଏବଂ ଫେସବୁକ୍‌ରର ପ୍ରତିନିଧିମାନେ ସାମିଲ ହୋଇଥିଲେ । ଉକ୍ତ କମିଟି ବିଚାର କରି ଉପରୋକ୍ତ ପ୍ରସ୍ତାବ ଦେଇଥିଲେ। ଯାହାକୁ କୋର୍ଟ ଗ୍ରହଣ କରି କେନ୍ଦ୍ରସରକାରଙ୍କୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଛନ୍ତି। ଜଷ୍ଟିସ ମଦନ ବି. ଲୋକୁର ଏବଂ ୟୁ ୟୁ ଲଲିତଙ୍କ ଖଣ୍ଡପୀଠରେ ଏହି ନିଷ୍ପତ୍ତି ନିଆଯାଇଛି।  ପୂର୍ବରୁ ପାଖାପାଖି ୩,୦୦୦ ପର୍ଣ୍ଣ ୱେବ୍‌ସାଇଟ୍‌କୁ ସରକାର ବ୍ଲକ୍‌ କରିଥିବା ସଂଶଦରେ କହିଥିଲେ।
ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାୟ କହିଛି ଯେ ଅଧିକାଂଶ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସାଇଟ୍‌ ଭାରତ ବାହାରୁ ପରିଚାଳିତ କରାଯାଉଛି। ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ସାଇବର କ୍ରାଇମ୍‌ ରୋକିବା ଲାଗି ଏକ ପ୍ରୋଜେକ୍ଟ ଆରମ୍ଭ କରିବା ପାଇଁ ଯୋଜନା ଥିଲେ ମଧ୍ୟ ତାହା ଆରମ୍ଭ ହୋଇପାରିନି।

ଗତ ବର୍ଷ ଜୁଲାଇରେ ସୁପ୍ରିମ୍‌କୋର୍ଟ ପର୍ଣ୍ଣ ସାଇଟ୍‌ ବ୍ଲକ୍‌ କରା ନ ଯିବାକୁ ନେଇ ସରକାରଙ୍କ ଉପରେ ବର୍ଷିଥିଲେ। ବିଶେଷକରି ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବ୍ଲକ୍‌ କରା ନ ଯିବାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ତଥାପି ଏହା ଉପରେ ରୋକ୍ ଲାଗିପାରୁନି। ବରଂ ପର୍ଣ୍ଣ ଭିଡିଓ ଅପଲୋଡ୍‌ ସଂଖ୍ୟା ବଢୁଛି।