ସୁପ୍ରିମକୋର୍ଟ ରାୟକୁ କଦର୍ଥ କରି ଅଡୁଆରେ ରାହୁଲ ଗାନ୍ଧି

  • ସୁପ୍ରିମକୋର୍ଟ ଆସନ୍ତା ସୋମବାର ସୁଦ୍ଧା ରାହୁଲ ଗାନ୍ଧିଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
  • ଏପ୍ରିଲ ୨୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।

ନୂଆଦିଲ୍ଲୀ: ରାଫେଲ୍ ଡିଲ୍ ଶୁଣାଣି ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ରାୟ ସମ୍ପର୍କରେ ନିଜ ଭାଷଣରେ ମନଗଢ଼ା ମନ୍ତବ୍ୟ ଦେଇ ଏବଂ ଟ୍ବିଟ୍ କରି ଅଡୁଆରେ ପଡ଼ିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ବିଜେପି ନେତ୍ରୀ ମିନାକ୍ଷୀ ଲେଖିଙ୍କ ଆବେଦନର ଶୁଣାଣି କରି ରାହୁଲ ଗାନ୍ଧିଙ୍କୁ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ସୋମବାର ସୁଦ୍ଧା ରାହୁଲ ଗାନ୍ଧିଙ୍କୁ ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୨୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।

ସୁପ୍ରିମକୋର୍ଟ ଶୁଣାଣିରେ କ’ଣ କହିଲେ?

ରାଫେଲ୍ ଡିଲ ମାମଲାରେ ଶୁଣାଣିକୁ ନେଇ ରାହୁଲ ଗାନ୍ଧି ମିଡ଼ିଆକୁ କିମ୍ବା ଟ୍ୱିଟରରେ ଯାହା କହିଛନ୍ତି, ସେଭଳି କିଛି ରାୟ ଦେଇନାହାନ୍ତି ସୁପ୍ରିମକୋର୍ଟ। କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରିବା ଭଳି ଶବ୍ଦ, ରାଫେଲ୍ ଡିଲ୍‌ରେ ଦୁର୍ନୀତି ହୋଇଛି ବୋଲି ସୁପ୍ରିମକୋର୍ଟ କେବେହେଲେ କହିନାହାନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି। ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ଜଷ୍ଟିସ୍ ସଞ୍ଜୀଭ ଖାନ୍ନା ମଧ୍ୟ ଏହି ଖଣ୍ଡପୀଠରେ ସାମିଲ ଅଛନ୍ତି।

ବିଜେପି କ’ଣ ରଖିଲା ପକ୍ଷ?

ବିଜେପି ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି ପକ୍ଷ ରଖି ସର୍ବୋଚ୍ଚ କୋର୍ଟରେ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ଭୁଲ୍ ଅର୍ଥରେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଇଙ୍ଗିତ କରି ରାଫେଲ ମାମଲାରେ କୋର୍ଟଙ୍କ ରାୟକୁ ପ୍ରସଙ୍ଗ କରି ‘ଚୌକିଦାର’ ‘ଚୋର’ ବୋଲି କହିଛନ୍ତି।

ବିଜେପି ପକ୍ଷରୁ ଆବେଦନ କରିଥିବା ନେତ୍ରୀ ମୀନାକ୍ଷୀ ଲେଖି କହିଛନ୍ତି ଲୋକସଭା ନିର୍ବାଚନ ପ୍ରଚାର ବେଳେ ରାହୁଲ ଗାନ୍ଧି ରାଫେଲ୍ ଡିଲରେ ମୋଦିଙ୍କୁ ‘ଚୋର’ ବୋଲି କହୁଛନ୍ତି। ଯେତେବେଳେ ଦୁର୍ନୀତି ମାମଲାରେ ଗାନ୍ଧି ପରିବାରର ୩ରୁ ୪ ସଦସ୍ୟ ଜାମିନରେ ଥିବାବେଳେ କିଭଳି କୌଣସି ଭିତ୍ତି ନଥାଇ ଅନ୍ୟଙ୍କୁ ‘ଚୋର’ ବୋଲି କହୁଛନ୍ତି।

ନିକଟରେ ରାହୁଲ ଗାନ୍ଧି ମଧ୍ୟ ଆମେଠିରେ ନିଜ ପ୍ରତିକ୍ରିୟାରେ କହିଥିଲେ ସୁପ୍ରିମକୋର୍ଟ ତାଙ୍କ ଶୁଣାଣିରେ ସ୍ପଷ୍ଟ କରିଛନ୍ତି ଯେ ‘ଚୌକିଦାର ଚୋର’ ଅଟନ୍ତି ଏବଂ ରାଫେଲ ମାମଲାରେ ଦୁର୍ନୀତି ହୋଇଛି। ସୂଚନାଯୋଗ୍ୟ, ସମ୍ପୃକ୍ତ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କେବଳ ଗଣମାଧ୍ୟମରେ ପ୍ରକାଶ ପାଇଥିବା ମାମଲା ସମ୍ପର୍କିତ କେତେକ ଦସ୍ତାବିଜକୁ ବିଚାରକୁ ନେବେ ବୋଲି କହିଥିଲେ। କିନ୍ତୁ ରାହୁଲ ଏହି ଅନ୍ତରୀଣ ରାୟକୁ କଦର୍ଥ କରି ସୁପ୍ରିମକୋର୍ଟ ଚୌକିଦାର ଚୋର ହୈ ବୋଲି କହିଥିବା ପ୍ରକାଶ କରିଥିଲେ।