ମହଙ୍ଗା ପଡିଲା ଜଷ୍ଟିସ ଦୀପକ ମିଶ୍ରଙ୍କ ନାଁରେ ପିଆଇଏଲ୍‌: ସ୍ୱାମୀ ଓମ୍ ଓ ସାଥୀଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ମହଙ୍ଗା ପଡିଲା ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବାକୁ ଯାଉଥିବା ଜଷ୍ଟିସ ଦୀପକ ମିଶ୍ରଙ୍କ ନାଁରେ ପିଆଇଏଲ୍‌। ଆବେଦନକାରୀ ବାବା ସ୍ୱାମୀ ଓମ୍ ଓ  ଦିଲ୍ଲୀର ଶିଳ୍ପପତି ମୁକେଶ ଜୈନଙ୍କ ଉପରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଲଗାଇଛନ୍ତି ସୁପ୍ରିମକୋର୍ଟ। ମାସକ ମଧ୍ୟରେ ଜରିମାନା ଅର୍ଥ ଦେବାକୁ ମୁଖ୍ୟ ବିଚାରପତି  ଜେ.ଏସ୍ ଖେହରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଆତ୍ମ ପ୍ରଚାର ଲାଗି ଏହି ମାମଲା ରୁଜୁ କରାଯାଇଥିବା କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଦୀପକ ମିଶ୍ରଙ୍କୁ ମନୋନୀତ କରାଯିବାକୁ ନେଇ ଦୁଇ ଆବେଦନକାରୀ ଏହି PIL ଫାଇଲ୍ କରିଥିଲେ। ସିଟିଂ ମୁଖ୍ୟ ବିଚାରପତି ଓ ପରବର୍ତ୍ତୀ ମୁଖ୍ୟ ବିଚାରପତିଙ୍କ ନାଁ ପ୍ରସ୍ତାବ କରିବାକୁ ଚ୍ୟାଲେଞ୍ଜ କରି ଏହି ପିଟିସନ ହୋଇଥିଲା। ତେବେ ଆବେଦନକାରୀ ସେମାନଙ୍କ ପିଟିସନରେ ଜଷ୍ଟିସ ମିଶ୍ରଙ୍କ ନାଁରେ କୌଣସି ଅଭିଯୋଗ ଆଣିନଥିଲେ କେବଳ ଶସ୍ତା ଲୋକପ୍ରିୟତା ପାଇଁ ଏଭଳି ମାମଲା ଫାଇଲ୍ କରାଯାଇଥିବା କୋର୍ଟ କହିଥିଲେ। ରିଆଲିଟି ସୋ ବିଗ୍ ବସରେ ଭାଗ ନେଇଥିବା ସ୍ୱାମୀ ଓମ୍ ଏଭଳି ବିବାଦୀୟ କାମ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି।