ଘୁଞ୍ଚିଲା ଆଧାର ଲିଙ୍କର ସମୟସୀମା: କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ପାଇଁ ବ୍ୟାଙ୍କ ଆକାଉଣ୍ଟ ଓ ଫୋନ୍ ନମ୍ବର ସହିତ ଆଧାର ଲିଙ୍କ୍ କରିବା ଜରୁରୀ ନୁହେଁ। ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କେବଳ ସବ୍‌ସିଡି ଓ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଲାଭ ପାଇବାକୁ ହେଲେ ଆଧାର ଲିଙ୍କ୍ କରିବାକୁ ପଡ଼ିବ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବିଭିନ୍ନ ସରକାରୀ ଓ ଘରୋଇ ସେବା ଲାଗି ଆଧାର ଲିଙ୍କ୍ କରିବା ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ କି ନୁହେଁ, ତା ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପର୍ଯ୍ୟନ୍ତ ଏସବୁ ସେବାରେ ଆଧାର ଲିଙ୍କ୍ କରିବା ଜରୁରୀ ନୁହେଁ ବୋଲି କୋର୍ଟ କହିଛନ୍ତି।

ଆାଗରୁ ବ୍ୟାଙ୍କ ଆକାଉଣ୍ଟ, ଫୋନ୍ ନମ୍ବର ଏପରିକି ବୀମା, ମ୍ୟୁଚୁଆଲ୍ ଫଣ୍ଡ ଇତ୍ୟାଦି ଅନେକ ସେବା ସହିତ ଆଧାର ଲିଙ୍କ୍ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ଥିଲା।  ଆଜି ସୁପ୍ରିମକୋର୍ଟଙ୍କ ରାୟ ପରେ ଏସବୁ ସେବାରେ ଆଧାର ଲିଙ୍କ୍ କରିବାର ସମୟ ଅନିର୍ଦ୍ଦିଷ୍ଟ କାଳପାଇଁ ବଢ଼ିଯାଇଛି।

ବିଭିନ୍ନ ସରକାରୀ ଯୋଜନାରେ ଦୁର୍ନୀତି ହ୍ରାସ କରିବା ଲକ୍ଷ୍ୟରେ ୨୦୦୯ରେ ଆଧାର ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ମୋଦି ସରକାର କ୍ଷମତାକୁ ଆସିବା ପରେ ସବୁ ଯୋଜନା, ଏପରିକି ରେଳ ଟିକଟ କାଟିବା, ମୋବାଇଲ ପାଇଁ ନୂଆ ସିମ୍ ନେବା, ଆୟକର ରିଟର୍ଣ୍ଣ ଦାଖଲ କରିବା ଆଦି ସେବା ସହିତ ଆଧାର ଲିଙ୍କ ବାଧ୍ୟତାମୂଳକ କରିଥିଲେ। ତେବେ ଏହା ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ ବୋଲି ଅଭିଯୋଗ କରି ଅନେକ ବ୍ୟକ୍ତି ଓ ସଂଗଠନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।