ଏଇଏସ ମୃତ୍ୟୁ ପ୍ରସଙ୍ଗ, ସୋମବାର ମାମଲାର ଶୁଣାଣି

ପାଟନା: ବିହାରରେ ବେକାବୁ ହୋଇଛି ମୁଜାଫରନଗର ଜିଲ୍ଲାରେ ବ୍ୟାପିଥିବା ଆକ୍ୟୁଟ୍ ଏନସେଫାଲାଇଟିସ ସିଣ୍ଡ୍ରୋମ୍ (ଏଇଏସ) ଜ୍ୱର। ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଏବେ ସମାଲୋଚନାର ଶିକାର ହୋଇଛନ୍ତି। ଏହାପରେ ଆସନ୍ତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ପାଞ୍ଚ ଜଣିଆ ଡାକ୍ତରୀ ଟିମ୍ ମୁଜାଫରନଗର ପଠାଇବ ବୋଲି କହିଛି। ଏହି ଟିମରେ ୧୦ ଜଣ ଅଭିଜ୍ଞ ଡାକ୍ତରଙ୍କ ସହିତ ୫ ଜଣ ସହାୟକ ରହିଛନ୍ତି।

ବର୍ତ୍ତମାନ ଏହି ଏଇଏସ ଜ୍ୱରରେ ମୃତ୍ୟୁ ସଂଖ୍ୟା ୧୩୦ ପାର ହୋଇଛି। ଛୋଟ ଛୁଆ ମନେ ହିଁ ଏହି ରୋଗର ଶିକାର ହେଉଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଜାଫରନଗର ସ୍ଥିତ ଶ୍ରୀକୃଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲ ଯାଇ ସ୍ଥିତିର ସମୀକ୍ଷା କରିଥିଲେ। ଏହାପରେ ଦରଭଙ୍ଗାର ଏକ ଡାକ୍ତରୀ ଟିମକୁ ମୁଜାଫରନଗର ଆସିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରବିବାର ଦିନ ଉଭୟ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଦନ ଶ୍ରୀକୃଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲ ଯାଇ ସ୍ଥିତିର ସମୀକ୍ଷା କରିଥିଲେ।

ସେପଟେ ଆଜି ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ ଗଣମାଧ୍ୟମ ପ୍ରତିନିଧି ଏହି ରୋଗ ବାବଦରେ ପଚାରିଥିଲେ। ସେ କିନ୍ତୁ ଏହି ପ୍ରସଙ୍ଗକୁ ଏଡାଇ ଦେଇଥିଲେ। ଅନ୍ୟପଟେ ରାଜ୍ୟର ବିରେୀଧୀ ଦଳ ଆରଜେଡି ଏହି ପ୍ରସଙ୍ଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରକୁ ସମାଲୋଚନା କରିଛି।

ସରକାର ମୁଜାଫରନଗରେ ରୋଗୀଙ୍କ ଚିକିତ୍ସା କରିବା ପରିବର୍ତ୍ତେ ଏୟାର ଆମ୍ୱୁଲାନ୍ସ ଯୋଗେ ପାଟନା କାହିଁକି ନେଉ ନାହାନ୍ତି ବୋଲି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ ଏବେ ଏହି ପ୍ରସଙ୍ଗ କୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟ ଆବେଦନର ଶୁଣାଣି କରିବା ପାଇଁ ଆଜି ରାଜି ହୋଇଛନ୍ତି। ସୋମବାର ଏହାର ଶୁଣାଣି ହେବ ବୋଲି ସୂଚନା ରହିଛି।