୧୦ ଦିନ ଧରି ଦୁଷ୍କର୍ମ କଲେ, ସ୍କୁଲରୁ ନାଁ କାଟିଦେଲେ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ପୁଣି ଏକ ଅମାନବୀୟ ଘଟଣା ଘଟିଛି। +୨ରେ ପାଠ ପଢୁଥିବା ଜଣେ ଛାତ୍ରୀଙ୍କୁ ଘରେ ବନ୍ଧକ ରଖି ଦୀର୍ଘ ୧୦ଦିନ କାଳ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏଣେ ଘଟଣା ସମ୍ପର୍କରେ ପୀଡିତଙ୍କ ବାପା ଜାଣିବା ପରେ ଝିଅ ପାଠପଢୁଥିବା ସ୍କୁଲକୁ ଯାଇ ଘଟଣା ସମ୍ପର୍କରେ ଜଣାଇ କିଛି ଦିନ ଛୁଟି ମାଗିଥିଲେ। ହେଲେ ସ୍କୁଲ କର୍ତ୍ତୃପକ୍ଷ ସମବେଦନା ଜଣାଇବା ବଦଳରେ ଝିଅର ନାଁ ସ୍କୁଲରୁ କାଟି ଦିଆଯାଇଛି ବୋଲି କହିଥିଲେ। ଏବେ ଉଭୟ ବାପ ଝିଅ ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି।

ଗତ ମାସରେ ଝିଅଟିକୁ ଜଣେ ଦୁର୍ବୃତ୍ତ ଅପହରଣ କରି ନେଇଥିଲା। ଏକ ଘରେ ବନ୍ଧକ ରଖି ଦୀର୍ଘ ୧୦ ଦିନ କାଳ ତାକୁ ଦୁଷ୍କର୍ମ କରିଥିଲା। କଳେ ବଳେ କୌଶଳେ ଝିଅ ସେ ରାକ୍ଷସ କବଳରୁ ମୁକ୍ତି ପାଇବା ପରେ ପୁରା ଘଟଣା ପଦାକୁ ଆସିଥିଲା। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି। ଅଭିଯୁକ୍ତ  ଏବେ ଜେଲ୍‌ରେ।

ହେଲେ କିଛି ଦୋଷ ନ ଥାଇ ବି ଦଣ୍ଡ ପାଉଛନ୍ତି ପୀଡିତା। ସମାଜିକ କ୍ଷେତ୍ରରେ ଅପମାନିତ ହେଉଥିବା ବେଳେ ସ୍କୁଲରୁ ନାଁ କଟି ଯାଇଥିବା ଜାଣିବା ପରେ ଭାଙ୍ଗି ପଡିଛନ୍ତି ସେ। ଏହି ଘଟଣା ପରେ ବାପା-ଝିଅ ଉଭୟଙ୍କ ମୁଣ୍ଡରେ ଏବେ ସତେ ଯେମିତି ପାହାଡ ଛିଡି ପଡିଛି। ଝିଅ ପାଠପଢୁଥିବା ସରକାରୀ ସ୍କୁଲର ପ୍ରିନ୍ସପାଲ କହିଛନ୍ତି ଯେ, କୌଣସି ଛାତ୍ର କିମ୍ବା ଛାତ୍ର ୬ ଦିନ ଲଗାଦାର ସ୍କୁଲରୁ ଅନୁପସ୍ଥିତ ରହିଲେ ତା ନାଁ କାଟି ଦିଆଯାଇଥାଏ।