ବିଶ୍ୱରେ ଏବେ ଜଳବାୟୁ ଜନିତ ଜରୁରୀ ପରିସ୍ଥିତି

ଓ୍ୱାଶିଂଟନ: ବିଶ୍ୱ ଜଳବାୟୁରେ ଏବେ ଜୁରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ଏମିତି ଯେ ଆଉ ବିଚାର ବିମର୍ଶ ପାଇଁ ସମୟ ନାହିଁ। ମଣିଷ ନିଜ ଜୀବନଶୈଳୀରେ ଯଦି ପରିବର୍ତ୍ତନ ନକରିବ ତାହାଲେ ବିଶ୍ୱ ଧ୍ୱଂସ ହେବା ନିଶ୍ଚିତ। ବିଶ୍ୱର ୧୫୦ଟି ଦେଶର ୧୧ ହଜାର ବୈଜ୍ଞାନିକ ଏକାଠି ହୋଇ ଏହା କହିଛନ୍ତି। ଜଳବାୟୁ ପରିବର୍ତ୍ତନ ପାଇଁ ଯେଉଁମାନେ ନିୟମ ତିଆରି କରୁଛନ୍ତି ସେମାନେ ସଠିକ୍ ଭାବରେ ନିୟମ ଲାଗୁ କରିବାରେ ଅସମର୍ଥ ବୋଲି କହିଛନ୍ତି ଏହି ବୈଜ୍ଞାନିକମାନେ। ତେବେ ଜଳବାୟୁ ପରିବର୍ତ୍ତନ ପଛରେ ଆଜିର ମଣିଷର ବିଳାସପୂର୍ଣ୍ଣ ଜୀବନଶୈଳୀ ବୋଲି ବୈଜ୍ଞାନିକମାନେ ମତ ରଖିଛନ୍ତି।

ଏଭଳି ଚେତାବନୀ ଦ୍ୱିତୀୟ ଥର ପାଇଁ ଦେଇଛନ୍ତି ବିଶ୍ୱର ବୈଜ୍ଞାନିକମାନେ। ପୂର୍ବରୁ ୨୦୧୭ରେ ୧୮୪ ଦେଶର ୧୬ ହଜାର ବୈଜ୍ଞାନିକ ଏକାଠି ହୋଇ ଏଭଳି ଚେତାବନୀ ଦେଇଥିଲେ। ହେଲେ ଏହା ପରେ ସେମାନଙ୍କର ପରାମର୍ଶ କେବଳ ଆଲୋଚନା ଓ ଭାଷଣରେ ମଣିଷ ସୀମିତ ଥିବା ଜଣାପଡ଼ିଛି।

ଦେଖାଦେଇଥିବା ଜଳବାୟୁ ପରିବର୍ତ୍ତନ ସମାଧାନ ପାଇଁ ୬ଟି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛନ୍ତି ବୈଜ୍ଞାନିକମାନେ। ପେଟ୍ରୋଲ, ଡିଜେଲ ଓ କୋଇଲା ପରି ଜୀବାଶ୍ମ ବଦଳରେ ମିଥେନ ବ୍ୟବହାର, କମ୍ ମାଂସ ଖାଇବା, ପରିବେଶକୁ ସୁହାଇଲା ଭଳି ମଣିଷ କାମ କରିବା, ଅଙ୍ଗାରକାମ୍ଳ ମୁକ୍ତ ପରିବେଶ ଏବଂ ଜନସଂଖ୍ୟା ଉପରେ ନିୟନ୍ତ୍ରଣ ଲଗାଇବା। ଜନସଂଖ୍ୟାକୁ ମଣିଷ ନିୟନ୍ତ୍ରଣ କରିବାକୁ ଯାଇ ଝିଅମାନଙ୍କୁ ଶିକ୍ଷିତ କରିବାକୁ ବୈଜ୍ଞାନିକମାନେ ଆହ୍ୱାନ କରିଛନ୍ତି।

ବୈଜ୍ଞାନିକ ଫୋନବେ ବାରନର୍ଡ କହିଛନ୍ତି, ଏହି ପରିବର୍ତ୍ତନକୁ ମଣିଷ ବଳିଦାନ ଭାବିବା ଅନୁଚିତ। ଆମେ ଯେଉଁ ଜଳବାୟୁ ଦେଇ ଗତି କରୁଛି ସେଥିରେ ସୁଧାର ଆଣିବା ପାଇଁ ଏହି ସବୁ ଦିଗ ଉପରେ କାମ କରିବାକୁ ହେବ ବୋଲି ସେ କହିଛନ୍ତି।