ଦେଶକୁ ରାଷ୍ଟ୍ରପତିଙ୍କ ଉଦ୍‌ବୋଧନ: ଧାରା ୩୭୦ ହଟିଥିବାରୁ କଶ୍ମୀର ଓ ଲଦାଖର ବିକାଶ ହେବ

ନୂଆଦିଲ୍ଲୀ: ୭୩ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଉଚ୍ଛେଦ କରିଥିବା ଧାରା ୩୭୦ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି।

ଧାରା ୩୭୦ ଉଚ୍ଛେଦ ହେବା ଏବଂ ଜମ୍ମୁ-କଶ୍ମୀର ଓ ଲଦାଖ ବିଭାଜନ ହେବା ଦ୍ୱାରା ଏହି ଅଞ୍ଚଳରେ ଥିବା ଲୋକ ଅଧିକ ଫାଇଦା ପାଇବେ ବୋଲି ଶ୍ରୀ କୋବିନ୍ଦ ଦୃଢ଼ୋକ୍ତି କରିଛନ୍ତି।

ସେ କହିଛନ୍ତି, ଜମ୍ମୁ-କଶ୍ମୀର ଓ ଲଦାଖରେ ଯେଉଁ ପରିବର୍ତ୍ତନ ହୋଇଛି, ତାହା ସେହି ଅଞ୍ଚଳର କଲ୍ୟାଣରେ ବିଶେଷ ସହାୟକ ହେବ। ଏହାଦ୍ୱାରା ସେହି ଅଞ୍ଚଳର ଜନସାଧାରଣ ଦେଶର ଅନ୍ୟାନ୍ୟ ଅଞ୍ଚଳର ନାଗରିକଙ୍କ ଭଳି ସମାନ ଅଧିକାର, ସୁଯୋଗ ଓ ସୁବିଧା ପାଇବେ।

ସେମାନେ ମଧ୍ୟ ସମାନତାକୁ ଗୁରୁତ୍ୱ ଦେଉଥିବା ପ୍ରଗତିଶୀଳ ଆଇନ ଏବଂ ବ୍ୟବସ୍ଥା ଗୁଡ଼ିକର ଲାଭ ଉଠାଇପାରିବେ। ଶିକ୍ଷା ଅଧିକାର ଆଇନ ଲାଗୁ ହେବାପରେ ସବୁ ପିଲାଙ୍କ ପାଇଁ ଶିକ୍ଷା ଲାଭ ସୁନିଶ୍ଚିତ ହୋଇପାରିବ। ସୂଚନା ଅଧିକାର ମିଳିବା ପରେ ଏବେ ସେଠାକାର ଲୋକେ ଜନହିତ ସମ୍ବଳିତ ତଥ୍ୟ ପାଇପାରିବେ। ପାରମ୍ପରିକ ରୂପେ ବଞ୍ଚିତ ରହି ଆସିଥିବା ବର୍ଗର ଲୋକଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ମିଳିବ। ଆହୁରି ମଧ୍ୟ ତତ୍କାଳ ତିନି ତଲାକ୍ ଭଳି ପ୍ରଥାର ଅବସାନ ପରେ ସେଠାରେ ଥିବା ଆମ ଝିଅମାନଙ୍କୁ ନ୍ୟାୟ ମିଳିବ ଏବଂ ସେମାନେ ଭୟମୁକ୍ତ ଜୀବନଯାପନ କରିବାର ସୁଯୋଗ ପାଇବେ।

ସେ ଆହୁରି କହିଛନ୍ତି, ଦେଶମାତୃକାକୁ ବିଦେଶୀ ଶାସନରୁ ମୁକ୍ତ କରିବା ପାଇଁ ଯେଉଁ ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀ ଓ ବିପ୍ଳବୀ ଅଦମ୍ୟ ସଂଘର୍ଷ, ସାହାସ ଏବଂ ନିଷ୍ଠା ପ୍ରଦର୍ଶନ କରି ବଳିଦାନ ଦେଇଛନ୍ତି, ଏହି ଅବସରରେ ଆମେ ସେମାନଙ୍କୁ ସ୍ମରଣ କରିବା ଉଚିତ। ଦେଶର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସ୍ୱାଧୀନ ଭାରତର ୭୨ବର୍ଷ ଆମେ ପୂର୍ଣ୍ଣ କରିବାକୁ ଯାଉଛୁ।

ଆଉ କେଇ ସପ୍ତାହ ପରେ ଅକ୍ଟୋବର ୨ ତାରିଖରେ ଆମେ ଆମ ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ କରିବା। ସେ ଦେଶମାତୃକାର ମୁକ୍ତି କ୍ଷେତ୍ରରେ ଆଲୋକବର୍ତ୍ତିକା ଥିଲେ। ପ୍ରାକୃତିକ ସମ୍ପଦର ଉପଯୋଗ ବିବେକାନୁସାରେ କରିବାକୁ ଗାନ୍ଧିଜୀ ଗୁରୁତ୍ୱ ଦେଉଥିଲେ। ସେ ପରିବେଶ ପ୍ରତି ସମ୍ବେଦନଶୀଳ ହେବାକୁ ଜୋର ଦେଉଥିଲେ ଏବଂ ପ୍ରକୃତି ସହିତ ସାମଞ୍ଜସ୍ୟ ରଖି ଜୀବନ ବଞ୍ଚିବାର ଶିକ୍ଷା ଦେଉଥିଲେ। ବର୍ତ୍ତମାନ ଚାଲିଥିବା ଆମର ଅନେକ ପ୍ରୟାସ ଗାନ୍ଧିଜୀଙ୍କ ବିଚାରକୁ ହିଁ ଯଥାର୍ଥ ରୂପ ଦେଉଛି।

ଚଳିତବର୍ଷ ମଧ୍ୟ ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ। ସେ ଭାରତର ମହାନ୍ ସନ୍ଥମାନଙ୍କ ମଧ୍ୟରେ ଅନ୍ୟତମ। ଏ ବର୍ଷ ଗ୍ରୀଷ୍ମ ଋତୁରେ ଭାରତର ଜନସାଧାରଣ ସପ୍ତଦଶ ସାଧାରଣ ନିର୍ବାଚନରେ ଭାଗ ନେଇଥିଲେ। ସେଥିପାଇଁ ଭୋଟରମାନଙ୍କୁ ଅବଶ୍ୟ ଅଭିନନ୍ଦନ ଜଣାଇବି।

ପ୍ରତ୍ୟେକ ନିର୍ବାଚନ ସହ ଏକ ନୂଆ ଅଧ୍ୟାୟ ଆରମ୍ଭ ହୁଏ । ପ୍ରତ୍ୟେକ ନିର୍ବାଚନରେ ମଧ୍ୟ ଭାରତୀୟ ଭୋଟରଙ୍କ ସାମୂହିକ ଆଶା ଓ ବିଶ୍ୱାସର ନବୀକରଣ ଘଟିଥାଏ। ୧୯୪୭ ମସିହା ଅଗଷ୍ଟ ପନ୍ଦରରେ ଆମର ଯେଉଁ ଅନୁଭୂତି ଥିଲା ତାହାକୁ ବର୍ତ୍ତମାନର ଅନୁଭୂତି ସହ ତୁଳନା କରାଯାଇପାରେ।

ଜନାଦେଶକୁ ଯଦି ଅନୁଧ୍ୟାନ କରାଯାଏ ସେଥିରୁ ଲୋକଙ୍କ ଆଶା ଆକାଂକ୍ଷା ସ୍ପଷ୍ଟ ରୂପେ ବାରି ହୋଇ ପଡ଼ିବ। ସରକାରଙ୍କୁ ତାଙ୍କ ଭୂମିକା ଏ କ୍ଷେତ୍ରରେ ଅବଶ୍ୟ ନିର୍ବାହ କରିବାକୁ ହେବ। ଆମ ଦେଶର ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ଧାରାରେ ସାମିଲ କରିବା ପାଇଁ ସରକାର ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ସହ ବିଭିନ୍ନ ଯୋଜନାରେ ସ୍ୱତନ୍ତ୍ର ଧ୍ୟାନ ଦେଇ କାର୍ଯ୍ୟ କରୁଛନ୍ତି।

ଲିଙ୍ଗଗତ ସମାନତା ହାସଲ ଦିଗରେ ଆଇନ ପ୍ରଣୟନ ସହ ସରକାରୀ ସ୍ତରରେ ମଧ୍ୟ ଉଦ୍ୟମ ଅବ୍ୟାହତ ରହିଛି। ଲୋକଙ୍କ ଜୀବନକୁ ସହଜ କରିବା ପାଇଁ ପୁରୁଣା ଆଇନଗୁଡ଼ିକର ଅବସାନ ଘଟାଇ ନୂଆ ଆଇନ ମାଧ୍ୟମରେ ଆଇନଗତ ନୂତନ ଭିତ୍ତିଭୂମି ଯୋଗାଣର ବ୍ୟବସ୍ଥା କରାଯାଉଛି। ଏସବୁ ସତ୍ତ୍ୱେ ସମାଜ ଓ ନାଗରିକଙ୍କ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏସବୁ ଭିତ୍ତିଭୂମିକୁ ସେମାନେ କିପରି ବ୍ୟବହାର କରୁଛନ୍ତି।

ଆମ ଇପ୍ସିତ ଭାରତକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ଆମେ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି। ନିକଟରେ ଶେଷ ହୋଇଥିବା ସଂସଦ ଅଧିବେଶନରେ କାର୍ଯ୍ୟ ନେଇ ମୁଁ ସନ୍ତୁଷ୍ଟ। ଉଭୟ ଲୋକସଭା ଓ ରାଜ୍ୟସଭାର ଅଧିବେଶନ ବେଶ୍ ସୁଦୀର୍ଘ ତଥା ଫଳପ୍ରଦ ଥିଲା।

ଲୋକମାନେ ନିର୍ବାଚିତ ପ୍ରତିନିଧିମାନଙ୍କ ଉପରେ ଯେଉଁ ବିଶ୍ୱାସ ରଖିଛନ୍ତି, ସେଥିପାଇଁ ଏହା କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏହା ସହିତ ରାଷ୍ଟ୍ର ନିର୍ମାଣ କାର୍ଯ୍ୟ ସଂଶ୍ଳିଷ୍ଟ ଥିବାରୁ ଏହା ବିଶେଷ ଗୁରୁତ୍ୱ ବହନ କରୁଛି।

ରାଷ୍ଟ୍ରନିର୍ମାଣ ଏକ ନିରନ୍ତର ପ୍ରକ୍ରିୟା ଏବଂ ସେଥିରେ ସ୍ୱାଧୀନତା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ସେ ଦୃଷ୍ଟିରୁ ସବୁ ଅନୁଷ୍ଠାନ, ପ୍ରତିଷ୍ଠାନ, ପ୍ରତ୍ୟେକ ସଂପୃକ୍ତ ପକ୍ଷ ମିଳିମିଶି କାମ କରିବାର ଆବଶ୍ୟକ।

ମୁଁ କାମନା କରୁଛି, ଆମର ସମାବେଶୀ ସଂସ୍କୃତି, ଆମର ଆଦର୍ଶ, ଆମର କରୁଣା, ଆମ ଜିଜ୍ଞାସା ଏବଂ ଆମର ଭ୍ରାତୃଭାବ ସର୍ବଦା ଅତୁଟ ରହୁ।