ସୋମବାର ୟେଦ୍ୟୁରୁପ୍ପାଙ୍କ ଆସ୍ଥା ଭୋଟ୍, ବିଧାନସଭା ଚାରିପଟେ ୧୪୪ ଧାରା

ବେଙ୍ଗାଲୁରୁ: ଆସନ୍ତାକାଲି କର୍ଣ୍ଣାଟକା ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ନବଗଠିତ ୟେଦ୍ୟୁରୁପ୍ପା ସରକାର। ଆଇନ ଶୃଙ୍ଖଳାକୁ ନଜରରେ ରଖି ବିଧାନସଭାର ୨ କିଲୋମିଟର ଭିତରେ ସକାଳ ୬ଟାରୁ ମଧ୍ୟରାତ୍ରୀ ଯାଏ ୧୪୪ ଧାରା ଜାରି ରହିବ। ଏହା କହିଛନ୍ତି ବରିଷ୍ଠ ପୁଲିସ ଅଫିସର ଆଲୋକ କୁମାର। ଏହି ଧାରା ଲାଗୁ ହୋଇଥିବା ସ୍ଥାନରେ ୪ ଜଣରୁ ଅଧିକ ଲୋକ ଏକା ସାଙ୍ଗରେ ରହି ପାରିବେ ନାହିଁ ବୋଲି ନିୟମ ରହିଛି।

ୟେଦ୍ୟୁରୁପ୍ପା ନେତୃତ୍ୱାଧୀନ ବିଜେପି ସରକାର ସୋମବାର ସକାଳେ ଗୃହରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ। ଗତ ଶୁକ୍ରବାର ଦିନ ବିଏସ ୟେଦ୍ୟୁରୁପ୍ପା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ୧୪ ମାସର ଜେଡିଏସ-କଂଗ୍ରେସ ସରକାର ଭାଙ୍ଗିବାର ତିନି ଦିନ ପରେ ୟେଦ୍ୟୁରୁପ୍ପା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବା ପାଇଁ ତାଙ୍କ ଦାବି ଜଣାଇଥିଲେ।