ଟିପୁ ଜୟନ୍ତୀ ପୂର୍ବରୁ କର୍ଣ୍ଣାଟକାରେ ୧୪୪ ଧାରା

ବେଙ୍ଗାଲୁରୁ: କର୍ଣ୍ଣାଟକାରେ କ୍ଷମତାସୀନ କଂଗ୍ରେସ ଓ ଜେଡିଏସ୍‌ ସରକାର ଟିପୁ ସୁଲତାନଙ୍କ ଜୟନ୍ତୀଙ୍କୁ ବେଶ ଧୂମଧାମରେ ପାଳନ କରିବାକୁ ଅଣ୍ଟା ଭିଡ଼ିଥିଲା ବେଳେ ଏହାକୁ ବିଜେପି ସମେତ ଅନ୍ୟ କିଛି ସଂଗଠନ ଜୋରଦାର ବିରୋଧ କରୁଛନ୍ତି। ଏହାକୁ ନେଇ ଆଜି କର୍ଣ୍ଣାଟକାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଟିପୁ ଜୟନ୍ତୀ ପାଳନ ହେବାକୁ ଥିବାରୁ ବିଜେପି ବିଭିନ୍ନ ସ୍ଥାନରେ ବନ୍ଦ ଡାକରା ଦେଇଛି।

ଫଳରେ ପୁଲିସ୍‌ ପକ୍ଷରୁ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଅନେକ ସହରରେ ୧୪୪ ଧାରା ଜାରି କରାଯାଇଛି। ଏଥିସହ ବ୍ୟାପକ ସଂଖ୍ୟାରେ ଫୋର୍ସ ମୁତୟନ ମଧ୍ୟ ହୋଇଛନ୍ତି।


ବନ୍ଦ ଡାକରା ଯୋଗୁ ବିରଜପେଟ୍‌ରେ ଗାଡ଼ି ମଟର ଚଳାଚଳ ଠପ୍‌ ହୋଇଯାଇଛି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଟିପୁ ସୁଲତାନ ଜୟନ୍ତୀକୁ ବିରୋଧ କରୁଥିବା ଏକ ଗୋଷ୍ଠୀ ଓ ପୁଲିସ୍‌ ବିରଜପେଟ୍‌ ବସ୍‌ ଷ୍ଟାଣ୍ଡରେ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ଏଥିଯୋଗୁ କୋଡାଗୁ ପୁଲିସ୍‌ ବିଜେପି ବିଧାୟକ ତଥା ପୂର୍ବତନ ବିଧାନସଭା ବାଚସ୍ପତି କେଜି ବୋପାୟାଙ୍କୁ ଅଟକ ରଖିଛି।

ବିଜୟପୁରାର ଜେଏମ୍‌ ମ୍ୟାରେଜ୍‌ ହଲ୍‌ରେ ଟପୁ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ଥିବାରୁ ସେଠାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କାଲାବୁରାଗିରେ ସମସ୍ତଙ୍କ ପ୍ରକାରର ଶୋଭାଯାତ୍ରା ଏବଂ କାର୍ଯ୍ୟକ୍ରମକୁ ବାତିଲ କରାଯିବା ସହ ୧୪୪ ଧାରା ଜାରି କରାଯାଇଛି। ବିଜେପି କର୍ମୀମାନେ ହୁବ୍ବାଲ୍ଲୀ ଓ ଧରୱଦରେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଏଠାରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି।

ଏଥିସହ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।
ଅନ୍ୟପକ୍ଷରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଟିପୁ ଜୟନ୍ତୀର କୌଣସି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ। ରାଜ୍ୟ ସରକାର ଟିପୁ ଜୟନ୍ତୀ ପାଳନ କରୁଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ ନ କରିବା ନାନା ପ୍ରଶ୍ନ ସୃଷ୍ଟି କରିଛି।

ତେବେ କୁମାରସ୍ୱାମୀ ସ୍ୱାସ୍ଥ୍ୟଗତ କାରଣରୁ କୌଣସି କାର୍ଯ୍ୟକ୍ରମରେ ସାମିଲ ହେବେନାହିଁ ବୋଲି ସିଏମ୍‌ଓ ପକ୍ଷରୁ ସଫେଇ ଦିଆଯାଇଛି।

ଟିପୁ ସୁଲତାନ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିବାରୁ ରାଜ୍ୟ ସରକାର ତାଙ୍କ ଜୟନ୍ତୀ ପାଳନ କରିବାକୁ ଚାହୁଁଛନ୍ତି। ହେଲେ ବିଜେପି ଟିପୁ ସୁଲତାନ୍‌ ଜଣେ ହିନ୍ଦୁ ବିରୋଧୀ ଥିଲେ ଏବଂ ସେ ଶହଶହ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ କରି ତାଙ୍କ ଜୟନ୍ତୀକୁ ବିରୋଧ କରୁଛି।