ବନ୍ଧୁକ ମୁନରେ ଟମାଟୋ ଜଗୁଛନ୍ତି ସୁରକ୍ଷାକର୍ମୀ

ସୁନାଗହଣା ଦୋକାନର ସୁରକ୍ଷା ପାଇଁ ବନ୍ଧୁକଧାରୀ ସୁରକ୍ଷା କର୍ମଚାରୀ ଜଗିବା ଆମେ ଦେଖିଛେ। କିନ୍ତୁ କେବେ କୌଣସି ପରିବା ଦୋକାନ ଆଗରେ ବନ୍ଧୁକାରୀ ସୁରକ୍ଷା କର୍ମୀ ଛିଡ଼ା ହେବାର ଦେଖିଛନ୍ତି କି? ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ସୋସିଆଲ୍ ମିଡିଆରେ ଏହା ସହିତ ଜଡ଼ିତ ଏକ ଫଟୋ ଭାଇରାଲ ହୋଇଛି। ଫଟୋଟି ମଧ୍ୟପ୍ରଦେଶର ଇନ୍ଦୋରର। ଟମା‌ଟୋର ସୁରକ୍ଷା ପାଇଁ ଏଠାରେ ବନ୍ଧୁକଧାରୀ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ମିଳିଥିବା ରିପୋର୍ଟ ଅନୁଯାୟୀ ଚାଷୀ ଓ ପରିବା ମଣ୍ଡି ବେପାରୀଙ୍କ ଅନୁରୋଧ କ୍ରମେ ଏଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଛି।

କିଛି ଦିନ ହେବ ଟମାଟୋର ଦର ଆକାଶ ଛୁଆଁ ହୋଇଛି। ବିଭିନ୍ନ ସ୍ଥାନରେ ୬୦ ରୁ ୧୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି ଟମାଟୋ।  କିଛି ଦିନ ପୂର୍ବରୁ ମୁମ୍ବାଇର ଏକ ପରିବା ମଣ୍ଡିରୁ ୩୦୦ କିଲୋ ଟମାଟୋ ଚୋରି ହୋଇଥିଲା। ଏହି ଘଟଣା ପରେ ଇନ୍ଦୋରର ବେପାରୀମାନଙ୍କ ଚିନ୍ତା ବଢିଯାଇଥିଲା। ତେଣୁ ସେମାନେ ବନ୍ଧୁକଧାରୀ ଗାର୍ଡଙ୍କୁ ମୁତୟନ କରିବାକୁ ପରିବା ମଣ୍ଡି ସମିତିକୁ ଅନୁରୋଧ କରିଥିଲେ।

ବେପାରୀମାନଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ଟମାଟୋର ଉତ୍ପାଦନ ବହୁତ କମ୍ ହୋଇଛି। ପ୍ରତି ବର୍ଷ ମଣ୍ଡିକୁ ୬ ରୁ ୭  ହଜାର କ୍ୟାରେଟ୍ ଟମାଟୋ ଆସୁଥିଲାବେଳେ ଚଳିତ ବର୍ଷ ମାତ୍ର ୧୨୦୦ କ୍ୟାରେଟ୍ ଟମାଟୋ ମଣ୍ଡିକୁ ଆସିଛି। ତେଣୁ ଟମାଟୋ ପାଇଁ ଚାରିଆଡେ ହଟହଟା। ଏପରିକି ଟମାଟୋର ଚୋରି ମଧ୍ୟ ହେଉଛି। ତେଣୁ ଏପରି ପରିସ୍ଥିତିରେ ୨୪ ଘଣ୍ଟା ଟମାଟୋର ସୁରକ୍ଷା କରିବା ସ୍ୱାଭାବିକ କଥା।