ମରି ଯାଇଛି ଭାବି ବାଘ ସହ ସେଲ୍‌ଫି ନେଉଥିଲେ, ଆଉ ତା’ପରେ…

ଉଦୟପୁର: ରାଜସ୍ଥାନର ଉଦୟପୁରରେ ଗତ ରବିବାର ରାଜପଥରେ କୌଣସି ଏକ ଗାଡ଼ି ଧକ୍କାରେ ବାଘଟିଏ ଆହତ ହୋଇଥିଲା। ଆହତ ବାଘଟି ରାସ୍ତା କଡ଼ ନାଳରେ ପଡ଼ିଥିଲା। ସେହି ବାଟ ଦେଇ ଦୁଇ ଜଣ ଯୁବକ ବାଇକ୍‌ରେ ଯାଉଥିଲେ। ସେମାନେ ନାଳରେ ବାଘଟିକୁ ଦେଖିଲେ ଓ ଭାବିଲେ ସେ ମରିଯାଇଛି। ମଲା ବାଘ ସହିତ ସେଲ୍‌ଫି ନେବାକୁ ସେମାନଙ୍କର ମନ ହେଲା। ତେଣୁ ସେମାନେ ବାଘ ନିକଟକୁ ଗଲେ। ଗାଡ଼ି ଧକ୍କାରେ ଘାଇଲା ବାଘ ସେମାନଙ୍କୁ ପାଖରେ ଦେଖି ଗର୍ଜନ କରି ଉଠିଲା ଓ ଜଣେ ଯୁବକଙ୍କୁ ଧରି ପକାଇଲା। ଯୁବକ ଜଣଙ୍କ ବଡ଼ କଷ୍ଟରେ ଆହତ ବାଘ ପଞ୍ଝାରୁ ମୁକୁଳି ଥିଲେ। ତାଙ୍କର ଅନ୍ୟ ସାଙ୍ଗ ଜଣଙ୍କ ଭୟରେ ଦୌଡ଼ି ପଳାଇ ଯାଉଥିବା ବେଳେ ପଡ଼ିଯାଇ ଆହତ ହୋଇଥିଲେ। ଦୁହେଁ ସେଠାରୁ ପ୍ରାଣବିକଳରେ ପଳାଇ ଯାଇଥିଲେ ଓ ପାଖ ଗାଁର ଲୋକଙ୍କୁ ଜଣାଇଥିଲେ। ଦେଖୁ ଦେଖ ବାଘ ଦେଖିବାକୁ ସେଠାରେ ଭିଡ଼ ଜମି ଯାଇଥିଲା। ଖବର ପାଇ ପୋଲିସ୍ ଓ ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ଥିଲେ ଆହତ ବାଘକୁ ଉଦ୍ଧାର କରିଥିଲେ।