ବରିଷ୍ଠ ସାମ୍ବାଦିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଶ୍ରୀନଗରରେ ରାଇଜିଂ କାଶ୍ମୀର ଖବରକାଗଜର ସଂପାଦକ ସୁଜତ ବୁଖାରୀଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ଆଜି ସଂଧ୍ୟାରେ ଘଟିଛି ଏହି ଘଟଣା। ଶ୍ରୀନଗରର ପ୍ରେସ କଲୋନୀ ସ୍ଥିତ ଅଫିସରୁ ବାହାରୁଥିବା ବେଳେ ୩ ଜଣ ଆତଙ୍କବାଦୀ ବାଇକରେ ଆସି ତାଙ୍କୁ ଅତି ନିକଟରୁ ଗୁଳି କରିଥିଲେ। ଏହି ଗୁଳିକାଣ୍ଡରେ ତାଙ୍କର ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

କାଶ୍ମୀରରେ ପ୍ରଥମ ଥର ପାଇଁ ଜଣେ ସାମ୍ବାଦିକଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ସୁଜତ ବୁଖାରୀଙ୍କ ଜୀବନ ପ୍ରତି ବିପଦ ଥିବାରୁ ୨୦୦୦ ମସିହାରୁ ରାଜ୍ୟ ସରକାର ତାଙ୍କୁ ସୁରକ୍ଷା ଯୋଗାଇ ଆସୁଥିଲେ। କାଶ୍ମୀର ଉପତ୍ୟକାରେ ଶାନ୍ତି ବଜାୟ ପାଇଁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ ସୁଜତ।

ଏଭଳି ହତ୍ୟାକାଣ୍ଡକୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ନିନ୍ଦା କରିଛନ୍ତି। ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଟ୍ୱିଟ୍ କରି ଘଟଣାକୁ ନିନ୍ଦା କରିଛନ୍ତି। ଇଦ୍ ପୂର୍ବରୁ ଆତଙ୍କବାଦୀଙ୍କ ଏଭଳି ବର୍ବରତା ଏକ ଘୃଣ୍ୟ ମାନସିକତା ବୋଲି ସେ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲା ଟ୍ୱିଟ୍ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଏଭଳି ବର୍ବର କାଣ୍ଡକୁ ନିନ୍ଦା କରିଛନ୍ତି।