ପ୍ରଧାନମନ୍ତ୍ରୀଙ୍କୁ ଜୋତାରେ ପରଷିଲେ ଚକୋଲେଟ୍‌

ନୂଆଦିଲ୍ଲୀ: ନିକଟରେ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଇସ୍ରାଏଲ୍ ଗସ୍ତରେ ଯାଇଥିଲେ। ଏହି ଗସ୍ତ ସମୟରେ ତାଙ୍କୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ତାଙ୍କ ଘରକୁ ରାତ୍ରଭୋଜନ ପାଇଁ ଆମନ୍ତ୍ରିତ କରିଥିଲେ। ରାତ୍ରଭୋଜନ ପରେ ସିଂଜୋ ଆବେଙ୍କୁ ଚକୋଲେଟ୍ ଖାଇବାକୁ ଦିଆଯାଇଥିଲା। ତେବେ ଯେଉଁଥିରେ ତାଙ୍କୁ ଚକୋଲେଟ୍ ପରଷା ଯାଇଥିଲା ତାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କୁ ଏକ ମେଟାଲ୍‌ ଜୋତାରେ ଚକୋଲେଟ୍ ପରଷା ଯାଇଥିଲା। ଏହା ତାଙ୍କୁ ଭଲ ଲାଗି ନଥିଲା। ଏହା ତାଙ୍କ ପାଇଁ ଏକ ଖରାପ ଅନୁଭୂତି ଥିଲା। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ଏ ପ୍ରକାର ଅତିଥି ଚର୍ଚ୍ଚାକୁ ଜାପାନର ଅଧିକାରୀମାନେ ମଧ୍ୟ ଗ୍ରହଣ କରିପାରିନାହାଁନ୍ତି। କାରଣ ଜାପାନରେ ଜୋତାକୁ ସବୁଠୁ ଘୃଣ୍ୟ ଜିନିଷ ଭାବେ ମନେ କରାଯାଏ। ଏମିତିକି ସେଠାକାର ଲୋକେ ଘରେ ବା ଅଫିସ୍ ଭିତରେ ଜୋତା ପିନ୍ଧିବାକୁ ଭଲ ପାଆନ୍ତି ନାହିଁ।

shoeଏହି ଘଟଣା ପରେ ସାରା ବିଶ୍ୱରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କୁ ନିନ୍ଦା କରାଯାଉଛି। ଏପରିକି ଇସ୍ରାଏଲର ଅନେକ ରାଜନେତା ମଧ୍ୟ ତାଙ୍କୁ ସମାଲୋଚନା କରିଛନ୍ତି। ସେମାନଙ୍କ କହିବା କଥା- ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଜୋତାରେ ଚକୋଲେଟ୍ ପରଷା ଯିବା ଆଦୌ ଗ୍ରହଣୀୟ ନୁହେଁ। ଜାପାନର ଅନେକ ରାଜନେତା କହିଛନ୍ତି ଯେ କୌଣସି ଦେଶର ସଂସ୍କୃତିରେ ଜୋତାକୁ ଟେବୁଲ ଉପରେ ରଖାଯାଏ ନାହିଁ। ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ରୋଷେୟା ସେଗେୱ ମୋଶେ କ’ଣ ଭାବି ସିଂଜୋ ଆବେଙ୍କୁ ଜୋତାରେ ଚକୋଲେଟ୍ ପରଷିଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସେମାନେ ଆହୁରି ବି କହିଛନ୍ତି ଯେ ଯଦି ମଜା କରିବା ପାଇଁ ଏମିତି କରାଯାଇଥିଲା, ତା’ହେଲେ ଏ ପ୍ରକାର ମଜାକୁ ସେମାନେ ପସନ୍ଦ କରନ୍ତି ନାହିଁ। ସେମାନଙ୍କ ପ୍ରଧାନମନ୍ତ୍ରୀଙ୍କୁ ଅସମ୍ମାନିତ କରାଯାଇଛି ବୋଲି ସେମାନେ କହିଛନ୍ତି।

ସୂଚନାଯୋଗ୍ୟ, ଜାପାନ ପ୍ରଧାନମନ୍ତ୍ରୀ ଓ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ରାତ୍ରଭୋଜନର ଏକ ଫଟୋକୁ ସେଗେୱ ମୋଶେ (ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ରୋଷେୟା) ହିଁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। ତେବେ ବିବାଦ ବଢ଼ିବା ପରେ ଇସ୍ରାଏଲ୍‌ର ବୈଦେଶିକ ବିଭାଗ କହିଛି,‘ଆମ ରୋଷେୟାଙ୍କ କ୍ରିଏଟିଭିଟିକୁ ମାନି ଯିବାକୁ ପଡ଼ିବ। ଆମେ ତାଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରୁଛୁ।’