ଆକାଶ ଏବଂ ସମୁଦ୍ରରେ ଥିଲେ ବି ଚିନ୍ତା ନାହିଁ : କଥା ହେବା ପାଇଁ ବିଏସ୍ଏ‌ନ୍ଏ‌ଲ୍‌ ଆଣୁଛି ସେଟ୍‌ଲାଇଟ୍‌ ଫୋନ୍‌

ନୂଆଦିଲ୍ଲୀ: ବିଏସଏନଏଲର ନୂଆ ଯୋଜନା। ଦୁଇ ବର୍ଷ ମଧ୍ୟରେ ବଜାରକୁ ଆସିବ ସେଟଲାଇଟ୍‌ ଫୋନ୍‌।  ଏହି ସେଟଲାଇଟ୍‌ ଫୋନ୍‌ ଦେଶର କୋଣ ଅନୁକୋଣରେ ଉପଲବ୍ଧ ହେବ।  ଏହି ମୋବାଇଲକୁ ଯିଏ ଚାହିଁବ ବ୍ୟବହାର କରିପାରିବ। ବିଷେଶକରି ନେଟୱର୍କ ନ ଥିବା ସ୍ଥାନରେ ଏହା କାମରେ ଆସିବ। ସବୁଠାରୁ ଗୁରୁତୂପୂର୍ଣ୍ଣ ହେଉଛି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ଅଧିକ କାମରେ ଆସିବ। କାରଣ ପ୍ରାକୃତିକ ବିପର୍ଯ୍ୟୟ ବେଳେ ବିଦ୍ୟୁତ୍‌ ସରବାରାହରେ ବିଭ୍ରାଟ କାରଣରୁ ଟେଲିଫୋନ୍‌ ସେବା ଅଚଳ ହୋଇଥାଏ।  ଏପରିକି ଏହି ଫୋନ୍‌ସେବା  ବିମାନ ଏବଂ ଜଳ ଜାହାଜରେ ଉପଲବ୍ଧ ହେବ।

ଭୃପୃଷ୍ଠରୁ ୩୫ ହଜାର ୭ ଶହ କିମି ଉପରେ ସେଟଲଇଟ୍‌ ରହୁଥିବାରୁ ସିଗ୍‌ନାଲ ଆସିବାରେ କୌଣସି ସମସ୍ୟା ହେବ ନାହିଁ ବୋଲି ବିଏସଏନଏଲ ଅଧ୍ୟକ୍ଷ ତଥା ପରିଚଳାନା ନିର୍ଦ୍ଦେଶକ ଅନୁପମ ଶ୍ରୀବାସ୍ତବ ପିଟିଆଇକୁ କହିଛନ୍ତି।  ପ୍ରାରମ୍ଭିକ ପର୍ଯ୍ୟାୟରେ  ବିଏସଏନଏଲ୍‌ (INMARSAT SERVICE) ଇନ୍‌ମାରସେଟ୍‌ ସର୍ଭିସ ମାଧ୍ୟମରେ  ସେଟଲାଇଟ୍‌ ନେଟର୍ୱକର ବ୍ୟବସ୍ଥା କରିବ। ଇନ୍‌ମାରସେଟ୍‌ ହେଉଛି ବ୍ରିଟେନ୍‌ର ଏକ ସେଟଲାଇଟ୍‌ ଟେଲିକମ୍ୟୁନିକେଶନ୍‌ ସଂସ୍ଥା।  ଏହି ଇନ୍‌ମାରସେଟ୍‌ ପାଖରେ ୧୪ଟି ସେଟଲାଇଟ୍‌ ରହିଛି।

ପ୍ରଥମେ ଏହି ଫୋନକୁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗ ତଥା ସେନା, ପୋଲିସ ଏବଂ ଜରୁରୀକାଳୀନ ବିଭାଗକୁ ଦିଆଯିବ। ତେବେ ଏହି ସେଟଲାଇଟ୍‌ ଫୋନ୍‌ର  ସର୍ବନିମ୍ନ ମୂଲ୍ୟ ୪୦ ହଜାର ଟଙ୍କାରୁ ଆରମ୍ଭ ହେବ।  ଏବଂ ଫିଚର ଅନୁଯାୟୀ ଦରର ତଫାତ ଆସିବ।