ଆବେଦନ ପ୍ରତ୍ୟାହାର କଲେ କଶ୍ମୀର ନେତା ଫୈଜଲ

ନୂଆଦିଲ୍ଲୀ: ବ୍ୟୁରୋକ୍ରାଟ୍‌ରୁ ରାଜନେତା ହୋଇଥିବା ଶାହା ଫୈଜଲ ଶେଷରେ ୟୁ-ଟର୍ଣ୍ଣ ନେଇଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ ତାଙ୍କୁ ଅଟକ ରଖାଯାଇଥିବାରୁ ଏହା ବିରୋଧରେ ସେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ହେଲେ ଆଜି ସେ ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି।

ଫୈଜଲଙ୍କୁ ତାଙ୍କ ପତ୍ନୀ କଶ୍ମୀରର ଅଟକ କେନ୍ଦ୍ରରେ ସାକ୍ଷାତ କରିଥିଲେ। ସେ ଦିଲ୍ଲୀ ଫେରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଗତ ମାସ ୧୪ ରାତିରେ ଶାହା ଫୈଜଲଙ୍କୁ ଦିଲ୍ଲୀରେ ଅଟକ ରଖାଯାଇଥିଲା। ଏହାପରେ ୧୫ ତାରିଖ ସକାଳୁ ତାଙ୍କୁ କଶ୍ମୀର ପଠାଇ ଦିଆଯାଇଥିଲା। ସେଠାରେ ତାଙ୍କୁ ପିଏସ୍‌ଏ ଆଇନ୍‌ ଅନୁଯାୟୀ ଅଟକ ରଖାଯାଇଥିଲା।

ଏହି ଘଟଣାର ଦିନକ ପରେ ସେ ଏହା ବିରୋଧରେ କୋର୍ଟରେ ପିଟିସନ୍‌ ଫାଇଲ କରିଥିଲେ। ଆଜି ଆବେଦନ ପ୍ରତ୍ୟାହାର କରିବାକୁ ଫୈଜଲ କହିବାରୁ କୋର୍ଟ ମାମଲାର ଶୁଣାଣିକୁ ବନ୍ଦ କରିଛନ୍ତି। ହେଲେ ଯଦି ତାଙ୍କ ଓକିଲ କୌଣସି ଆଇନଗତ ସହାୟତା ପାଇବାକୁ ଚାହୁଁଛନ୍ତି, ତା’ହେଲେ କୋର୍ଟ ଏହାକୁ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।