ଟ୍ରାକ୍‌ରୁ ଖସିଗଲା ଟ୍ରେନ୍: ଶକ୍ତିପୁଂଜ ଏକ୍ସପ୍ରେସ୍‌ର ୭ଟି ବଗି ଲାଇନଚ୍ୟୁତ

ଲକ୍ଷ୍ମୌ: ଦେଶରେ ରେଳ ଦୁର୍ଘଟଣା ଥମିବାର ନାଁ ନେଉ ନାହିଁ। ଆଜି ସକାଳେ ଉତ୍ତରପ୍ରଦେଶର ସୋନଭଦ୍ରା ନିକଟ ଫଫରାକୁଣ୍ଡରେ ଶକ୍ତିପୁଂଜ ଏକ୍ସପ୍ରେସ୍‌ର ୭ଟି ବଗି ଲାଇନଚ୍ୟୁତ ହୋଇଛି। ସେଥିମଧ୍ୟରୁ ୩ଟି ଏସି ବଗି ରହିଛି। ଟ୍ରେନ୍‌ଟି ହାୱଡାରୁ ଜବଲପୁର ଯାଉଥିଲା। ଏହି ଦୁର୍ଘଟଣାରେ ୧୨ରୁ ୧୫ ଜଣ ଲୋକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ସୀମାରେ ହୋଇଛି।

ଦୁର୍ଘଟଣାରେ ରେଳ ଧାରଣା ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ଘଟଣାସ୍ଥଳରେ ରେଳ କର୍ମଚାରୀ ଓ ପୋଲିସ ପହଞ୍ଚି  ଅନୁସନ୍ଧାନ କରୁଛନ୍ତି।

ନୂଆ ରେଳ ମନ୍ତ୍ରୀ ପିୟୂଷ ଗୋଏଲ୍ ଦାୟିତ୍ୱ ନେବା ପରେ ଏହା ପ୍ରଥମ ଦୁର୍ଘଟଣା। ଗତ କିଛି ଦିନ ହେବ ବାରମ୍ୱାର ରେଳ ଦୁର୍ଘଟଣା ହେବାରୁ ନିଜକୁ ଦାୟୀ ଭାବି ସୁରେଶ ପ୍ରଭୁ ରେଳ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ସୂଚନାଯୋଗ୍ୟ, ଅଗଷ୍ଟ ୨୩ ତାରିଖରେ କାନପୁର ଓ ଇଟାୱା ମଧ୍ୟସ୍ଥ ଔରିୟାରେ କୈଫିୟତ ଏକ୍ସପ୍ରେସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣାରେ ଟ୍ରେନ୍‌ର ୧୦ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା ତା’ ପୂର୍ବରୁ ଉତ୍ତର ପ୍ରଦେଶରେ ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।