ଦିନ ମଜୁରିଆଙ୍କ ଗୀତ ଶୁଣି ଆଶ୍ଚର୍ଯ୍ୟ ହେଲେ ଶଙ୍କର ମହାଦେବନ: କହିଲେ, ମୁଁ ତାଙ୍କ ସହ କାମ କରିବାକୁ ଚାହେଁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଗୋଟେ ଭିଡିଓ ଭାଇରାଲ ହେଉଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଭିଡିଓରେ ଜଣେ ଦିନ ମଜୁରିଆ ଗଛ ତଳେ ବସି ଗୀତ ଗାଉଛନ୍ତି। ଆଉ ସେ ଏତେ ସୁନ୍ଦର ସ୍ୱରରେ ଗୀତ ଗାଉଛନ୍ତି ଯେ ସମସ୍ତେ ତାଙ୍କୁ ଭୂରି ଭୂରି ପ୍ରଂଶସା କରୁଛନ୍ତି। ଏଥିରୁ ବଲିଉଡ୍‌ର ପ୍ରସିଦ୍ଧ ଗାୟକ ଶଙ୍କର ମହାଦେବନ ମଧ୍ୟ ବାଦ୍‌ ପଡିନାହାଁନ୍ତି। ଅର୍ଥାତ ଭିଡିଓଟିକୁ ସୋସିଆଲ୍‌ ମିଡିଆରେ ଦେଖିବା ପରେ ଶଙ୍କର ମହାଦେବନ ଟ୍ୱିଟ କରି ତାଙ୍କୁ ଦେଖା କରିବାକୁ କହିଛନ୍ତି।

ସୂଚନା ଅନୁଯାୟୀ, ବ୍ୟକ୍ତି ଜଣଙ୍କ ତାମିଲ୍‌ ଫିଲ୍ମ ‘ବିଶ୍ୱରୂପମ’ର ‘ଉନ୍ନାଇ କାନାଧୁ’ ଗୀତ ଗାଉଥିଲେ। ଏହି ଗୀତକୁ ଫିଲ୍ମରେ ଶଙ୍କର ମହାଦେବନ ଗାଇଛନ୍ତି। ଗୀତ ଗାଉଥିବା ବ୍ୟକ୍ତିଙ୍କ ନାଁ ରାକେଶ ନୂରାନାଡୁ ବୋଲି ଜଣା ପଡିଛି। ରାକେଶ କେରଳର ଅଲାପୁଝା ଜିଲ୍ଲାର ଅଲୁ ପେନାଡୁରେ ରୁହନ୍ତି। ଘର ପାଖର ଜଣେ ଡ୍ରାଇଭର୍‌ ରାକେଶ ଗୀତ ଗାଉଥିବା ସମୟର ଏକ ଭିଡିଓ କରି ତାକୁ ସୋସିଆଲ୍‌ ମିଡିଆରେ ସେୟାର କରିଥିଲେ। ଏହା ପରେ ରାକେଶଙ୍କର ଜଣେ ବନ୍ଧୁ କୁଏତ୍‌ରୁ ଫୋନ୍‌ କରି ତାଙ୍କର ସେହି ଭିଡିଓ ଭାଇରାଲ୍‌ ହେଉଛି , ସେ ତାଙ୍କ ଗୀତ ପାଇଁ ଫେମସ୍‌ ହୋଇଗଲେଣି ଏବଂ ତାଙ୍କର ଏହି ଭିଡିଓକୁ ଶଙ୍କର ମହାଦେବନ ସେୟାର କରିଛନ୍ତି ବୋଲି କହିଥିଲେ।

ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରିବା ସହ ଶଙ୍କର ଲେଖିଛନ୍ତି, “ଏହାକୁ ପରିଶ୍ରମର ଫଳ କୁହନ୍ତି, ଯେତେବେଳେ ମୁଁ ଏହି ଭିଡିଓକୁ ଦେଖିଲି ସେତେବେଳେ ମତେ ମୋ ଦେଶ ଉପରେ ଗର୍ବ ଅନୁଭବ ହେଲା। ଏଠାରେ ଏତେ ଦକ୍ଷ ଲୋକ ଜନ୍ମ ନେଇଛନ୍ତି। ଗୀତ ଗାଉଥିବା ବ୍ୟକ୍ତି ଜଣଙ୍କ କିଏ, ମୁଁ ତାଙ୍କୁ କେମିତି ଭେଟିବି, ମୁଁ ତାଙ୍କ ସହ କାମ କରିବାକୁ ଚାହେଁ।”