ମହଙ୍ଗା ପଡ଼ିପାରେ ନୀତୀଶଙ୍କୁ ବିରୋଧ: ଜେଡିୟୁରୁ ବିଦା ହୋଇପାରନ୍ତି ଶରଦ

ନୂଆଦିଲ୍ଲୀ: ବିହାରରେ ରାଜନୀତିରେ ତାତି ଥମିବାରେ ନାଁ ନେଉନାହିଁ। ମହାମେଣ୍ଟ ଭାଙ୍ଗି ନୀତୀଶ ବିଜେପି ସହ  ମିଶି ସରକାର ଗଢିବା ପରେ ଆରଜେଡି ଓ ଜେଡିୟୁ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ନୀତୀଶଙ୍କର ଏଭଳି ନିଷ୍ପତ୍ତିକୁ ଗ୍ରହଣ କରିପାରି ନାହାଁନ୍ତି ନିଜ ଦଳର ବରିଷ୍ଠ ନେତା ନେତା ଶରଦ ଯାଦବ। ଏପରି ମେଣ୍ଟକୁ ସେ ଖୋଲାଖୋଲି ବିରୋଧ କରିଛନ୍ତି। ଏହାସହ ଆଜିଠାରୁ ତିନିଦିନି ବିହାର ଭ୍ରମଣରେ ବାହାରିଛନ୍ତି।

ବିହାରର ୭ଟି ଜିଲ୍ଲାକୁ ଯାତ୍ରା କରି ଲୋକମାନଙ୍କ ସହ ଏ ବିଷୟରେ ଆଲୋଚନା କରିବେ ବୋଲି ଶରଦ କହିଛନ୍ତି। ଆଜି ସେ ପାଟନାରେ ପହଞ୍ଚିବା ପରେ ପାର୍ଟି କର୍ମକର୍ତ୍ତାଙ୍କୁ ଭେଟିଥିଲେ। ଏଠାରେ ସେ ନୀତୀଶଙ୍କ ନିଷ୍ପତ୍ତିକୁ ପୁଣି ଥରେ କଡା ଭାଷାରେ ବିରୋଧ କରିଥିଲେ। ସେ କହିଥିଲେ- “ଲାଲୁ ଓ ନୀତୀଶଙ୍କ ମହାମେଣ୍ଟକୁ ବିହାରର ଜନତା ଭୋଟ ଦେଇଥିଲେ। ନୀତୀଶ ମେଣ୍ଟ ଭାଙ୍ଗି ଜନତାଙ୍କୁ କେବଳ ଅପମାନ କରି ନାହାନ୍ତି ସେମାନଙ୍କୁ ଧୋକା ଦେଇଛନ୍ତି। ୫ ବର୍ଷ ପାଇଁ ମେଣ୍ଟ ହୋଇଥିଲା, କିନ୍ତୁ ନୀତୀଶ ଏପରି କରି ୧୧ କୋଟି ଜନତାଙ୍କ ବିଶ୍ୱାସ ଭାଙ୍ଗି ଦେଇଛନ୍ତି।”

ସୋନପୁରେ ଆୟୋଜିତ ଏକ ସଭାରେ ନୀତୀଶଙ୍କୁ ସିଧାସଳଖ ଟାର୍ଗେଟ କରି ଶରଦ କହିଥିଲେ- “ମୁଁ ଏଥିପାଇଁ ରାସ୍ତାରେ ଆସି ଲଢିବାକୁ ପ୍ରସ୍ତୁତ। ମୋର ପଦ ପଦବୀକୁ ଭୟ ନାହିଁ।”

ସେ ଆହୁରି କହିଛନ୍ତି ଯେ, ଗୋଟିଏ ହେଉଛି ସରକାରୀ ଜନତା ଦଳ, ଯାହାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ନୀତୀଶ କୁମାର। କିନ୍ତୁ ଆଉ ଏକ ଜନତା ଦଳ ଅଛି ଯାହାର ମୁଖ୍ୟ ହେଉଛନ୍ତି ଜନତା।

ସେପଟେ ଶରଦଙ୍କ ଏଭଲି ମନ୍ତବ୍ୟ ତାଙ୍କୁ ଅଡୁଆରେ ପକାଇପାରେ। ଦଳ ବିରୋଧରେ ମନ୍ତବ୍ୟ ଦେଉଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯିବାର ସମ୍ଭାବନା ସୃଷ୍ଟି ହୋଇଛି।