ଇସ୍‌ଲାମିକ୍ ଷ୍ଟେଟ୍‌ ସମିଟ୍‌ରେ ସରିଫ୍‌ ହଟହଟା: ମିଳିଲାନି କହିବାର ସୁଯୋଗ

ୱାଶିଂଟନ୍‌: ସାଉଦି ଆରବରେ ହୋଇଥିବା ଇସ୍‌ଲାମିକ୍ ଷ୍ଟେଟ୍‌ ସମିଟ୍‌ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାବ ସରିଫଙ୍କୁ ଅଣଦେଖା କରାଯାଇଥିବା ପାକିସ୍ତାନ ପକ୍ଷରୁ ଅଭିଯୋଗ କରାଯାଇଛି। ଏହା ପାକିସ୍ତାନ ପ୍ରତି ଅପମାନ ବୋଲି ଏହି ଦେଶ ବିବେଚନା କରୁଛି। ଏପରିକି ସରିଫଙ୍କୁ ମଧ୍ୟ ଦେଶ ଭିତରେ ସମାଲୋଚନାର ଶିକାର ହେବାକୁ ପଡୁଛି। ଇସ୍‌ଲାମିକ୍ ଷ୍ଟେଟ୍‌ ସମିଟ୍‌ରେ ସରିଫ ଏକଘରିଆ ହୋଇଗଲେ ବୋଲି ପାକିସ୍ତାନର ଗଣମାଧ୍ୟମରେ କୁହାଯାଇଛି।

ଏହି ସମିଟ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ମଧ୍ୟ ସାମିଲ ହୋଇଥିଲେ। ଟ୍ରମ୍ପଙ୍କ ସମେତ ଅନ୍ୟ ନେତାମାନେ ସମିଟ୍‌ରେ ନିଜ ମତ ରଖିଥିଲେ।  ସରିଫ ମଧ୍ୟ ନିଜ ମତ ରଖିବାକୁ ପ୍ରସ୍ତୁତ ହୋଇଥିଲେ। ଫ୍ଲାଇଟ୍‌ରେ ପ୍ରାୟ ଅଢେଇ ଘଣ୍ଟା ପରିଶ୍ରମ କରି ସେ ତାଙ୍କ ଭାଷଣ ପ୍ରସ୍ତୁତ କରିଥିଲେ। ହେଲେ ସମିଟ୍‌ରେ ତାଙ୍କୁ କହିବାକୁ ସୁଯୋଗ ଦିଆଯାଇ ନ ଥିଲା।

ସୁଯୋଗ ନ ପାଇବାରୁ ସରିଫ୍‌ ଆତଙ୍କବାଦୀ ସମ୍ପର୍କରେ ନିଜ ମତ ରଖି ପାରି ନଥିଲେ। ଅନ୍ୟପକ୍ଷରେ ଟ୍ରମ୍ପ ସରିଫ୍‌ଙ୍କ ଆଗରେ ଭାରତକୁ ଆତଙ୍କବାଦ ପ୍ରଭାବିତ ଦେଶ ବୋଲି କହିଥିଲେ।