ଶଶି ଥରୁରଙ୍କ ଗିରଫଦାରୀ ଉପରେ ଲାଗିଲା ରୋକ

କୋଲକାତା: ବିବାଦୀୟ ‘ହିନ୍ଦୁ ପାକିସ୍ତାନ’ ବୟାନ ଘଟଣାରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ଆଶ୍ୱସ୍ତି ମିଳିଛି। କ୍ୟାଲକାଟା ହାଇକୋର୍ଟ ତାଙ୍କ ବିରୋଧରେ ଜାରି ହୋଇଥିବା ଗିରଫ ପରୱାନା ଉପରେ ଆଜି ରୋକ ଲଗାଇଛନ୍ତି।

ଗତବର୍ଷ କେରଳ ଠାରେ ଶଶି ଥରୁର ଭାରତ ‘ହିନ୍ଦୁ ପାକିସ୍ତାନ’ ହେବାକୁ ଯାଉଥିବା ବୟାନ ଦେଇଥିଲେ। ଏଥିପାଇଁ ଅଗଷ୍ଟ ୧୩ରେ ଆଡିସନାଲ କ୍ୟାଲକାଟା ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଥିଲେ।

ମାଜିଷ୍ଟ୍ରେଟଙ୍କ ସମନ ସତ୍ତ୍ୱେ ଶଶି ଥରୁର ହାଜର ନ ହେବାରୁ ଏଭଳି ଗିରଫ ପରୱାନା ଜାରି କରାଯାଇଥିଲା। ଆଇନଜୀବୀ ସୁମିତ ଚୌଧୁରୀଙ୍କ ଅଭିଯୋଗକ୍ରମେ ମାଜିଷ୍ଟ୍ରେଟ ଗତବର୍ଷ ଜୁଲାଇ ମାସରେ ହିଁ ଶଶି ଥରୁରଙ୍କୁ ସମନ କରିଥିଲେ।

ଗତ ବର୍ଷ ଜୁଲାଇ ମାସରେ ଥରୁର କହିଥିଲେ, ବିଜେପି ଯଦି ୨୦୧୯ ଲୋକସଭା ନିର୍ବାଚନ ଜିତିବ ଏହା ‘ହିନ୍ଦୁ ପାକିସ୍ତାନ’ ଗଠନ ଭଳି ସ୍ଥିତି ଉପୁଜାଇବ। ତାଙ୍କ ନିବାର୍ଚତୀ କ୍ଷେତ୍ର ଥିରୁଭନନ୍ତପୁରମ୍‌ଠାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ସେ କହିଥିଲେ, ବିଜେପି ନୂଆ ସମ୍ବିଧାନ ରଚନା କରିବ, ଯାହା ପାକିସ୍ତାନ ଭଳି ସଂଖ୍ୟାଲଘୁଙ୍କ ଅଧିକାରକୁ ସମ୍ମାନ ଦେବନି।

ସେ କହିଥିଲେ, ବିଜେପି ପ୍ରସ୍ତୁତ କରିବାକୁ ଥିବା ନୂଆ ସମ୍ବିଧାନ ହିନ୍ଦୁରାଷ୍ଟ୍ରର ନିୟମ ପାଳନ କରିବ, ଯାହା ସଂଖ୍ୟାଲଘୁଙ୍କ ପାଇଁ ସମାନତା ବଜାୟ ରଖିବ ନାହିଁ। ଏହା ହିନ୍ଦୁ ପାକିସ୍ତାନ ତିଆରି କରିବ।